ସମ୍ବଲପୁର : ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା | ତେବେ ରବିବାର ସମ୍ବଲପୁର ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଛି । ଦୁହିଁଙ୍କ ନିର୍ବନ୍ଧ ନିରାଡ଼ମ୍ବର ସହ ହୋଇଛି | ଏଥିରେ ଜିଲ୍ଲାପାଳଙ୍କ ପରିବାରବର୍ଗ ଓ ହାତଗଣତି କିଛି ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ । ୩ ମାସ ମଧ୍ୟରେ ଦୁଇ ଜଣଙ୍କ ବିବାହ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ନିର୍ବନ୍ଧ ସମୟରେ ଉଭୟ ଜିଲ୍ଲାପାଳଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି ।
ସୂଚନା ଅନୁସାରେ ଦୁଇ ଜିଲ୍ଲାପାଳଙ୍କ ଏହା ଦ୍ୱତୀୟ ବିବାହ | ଆସାମ ଝିଅ ଅନନ୍ୟା ଦାସ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ୍. ଅଖତରଙ୍କୁ ବିବାହ କରିଥିଲେ । ମତଭେଦ କାରଣରୁ ଦୁହିଁଙ୍କର ନିକଟରେ ବିବାହ ବିଚ୍ଛେଦ ହୋଇଥିଲା । ଠିକ ସେହିପରି ଓଡ଼ିଶାରେ ପଢ଼ିଥିବା ଚଞ୍ଚଳ ରାଣା ବର୍ତ୍ତମାନର ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂହଙ୍କୁ ବିବାହ କରିଥିଲେ । ସେମାନଙ୍କର ମଧ୍ୟ ସେହି ସମାନ କାରଣରୁ ଛାଡ଼ପତ୍ର ହୋଇଥିଲେ ।