କୋଲକାତାରୁ ମୁମ୍ବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

0

ନୂଆଦିଲ୍ଲୀ-: କୋଲକାତାରୁ ମୁମ୍ବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ବୋମା ଆତଙ୍କ । ଏହି ଘଟଣା କୋଲକାତା ବିମାନବନ୍ଦରରେ ଘଟିଥିଲା । ଯେତେବେଳେ ସୁରକ୍ଷା ଯାଞ୍ଚ ବେଳେ ଜଣେ ଯାତ୍ରୀ କହିଥିଲେ ଯେ କଣ ମୋ ପାଖରେ ବୋମା ଅଛି ।

ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (AAI) ଅଧିକାରୀମାନେ କହିଛନ୍ତି ଯେ ଏହି ଘଟଣା କୋଲକାତାରୁ ମୁମ୍ବାଇ ଯାଉଥିବା ଇଣ୍ଡିଗୋ ବିମାନ 6E 5227 ରେ ଘଟିଛି । ଅଭିଯୁକ୍ତ ଯାତ୍ରୀଙ୍କ ବୟସ ୨୬ ବର୍ଷ ଏବଂ ସେ ଇମ୍ଫାଲରୁ କୋଲକାତା ଦେଇ ମୁମ୍ବାଇ ଯାଉଥିଲେ । ବିମାନରେ ଚଢ଼ିବା ପୂର୍ବରୁ ଷ୍ଟେପ୍ ଲାଡର ପଏଣ୍ଟ ଯାଞ୍ଚ ଚାଲିଥିବା ବେଳେ, ସେ ବିମାନ ସୁରକ୍ଷା ଅଧିକାରୀଙ୍କୁ କହିଥିଲେ ଯେ ତାଙ୍କ ପାଖରେ ଏକ ବୋମା ଅଛି । ଯାହାପରେ ତୁରନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ଏବଂ ନିର୍ଦ୍ଧାରିତ ପ୍ରକ୍ରିୟା (SOP) ଅନୁଯାୟୀ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରାଯାଇଥିଲା ।

ସେହି ସମୟରେ, ବିମାନରେ ମୋଟ ୧୮୬ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୭୯ ଜଣ ପୂର୍ବରୁ ବିମାନରେ ଚଢ଼ି ସାରିଥିଲେ । ତୁରନ୍ତ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା ଏବଂ ବିମାନକୁ ଏକ ପାଖକୁ ନେଇ ବୋମା ଅଛି କି ନାହିଁ ଯାଞ୍ଚ କରାଯାଇଥିଲା । ଇଣ୍ଡିଗୋ ଏୟାରଲାଇନ୍ସ ଏକ ବୟାନ ଜାରି କରି କହିଛି, ‘କୋଲକାତାରୁ ମୁମ୍ବାଇ ଯାଉଥିବା ଫ୍ଲାଇଟ୍ 6E 5227 ଉଡ଼ାଣ ପୂର୍ବରୁ ବୋମା ଧମକ ପାଇଥିଲା ।’ ସୁରକ୍ଷା ନିୟମ ଅନୁଯାୟୀ, ବିମାନକୁ ଆଇସୋଲେସନ ୱେ’କୁ ନିଆଯାଇ ଯାଞ୍ଚ କରାଯାଇଥିଲା ଏବଂ ସମସ୍ତ ଆବଶ୍ୟକୀୟ ପ୍ରକ୍ରିୟା ଅନୁସରଣ କରାଯାଇଥିଲା । ଘଟଣା ପରେ, ଅଭିଯୁକ୍ତ ଯାତ୍ରୀଙ୍କୁ ହେପାଜତକୁ ନିଆଯାଇ ପଚରାଉଚରା କରାଯାଉଛି ।