ଆଠଗଡ଼ : ଆଠଗଡ଼ରେ ରାଜନୈତିକ ଶତ୍ରୁତାରୁ ବୋମାମାଡ଼ । ଆଠଗଡ ଅମୃତମଣୋହୀ ପାଟଣା ଗ୍ରାମରେ ଲଙ୍କାକାଣ୍ଡ । ରାଜନୈତିକ ହିଂସାକାଣ୍ଡରୁ ଗାଁ ଦାଣ୍ଡରେ ବୁଲିଲା ଖଣ୍ଡା ଓ ଫୁଟିଲା ବୋମା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ । ନିର୍ବାଚନୀ ରାଗ ଶୁଝାଇବାକୁ ଯାଇ ଗାଁର କିଛି ଯୁବକ ଏକ ୩ ବର୍ଷର ଛୁଆ ଓ ତା’ ଅଜା ଉପରେ ବୁଲେଟ ଚଢ଼ାଇ ଦେଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ଉଭୟ ଗୁରୁତର ହୋଇଥିବା ବେଳେ ଗାଁର ଉଭୟ ପକ୍ଷ ମଧ୍ୟରେ ଲାଗିଥିବା ଏହି ସଂଘର୍ଷରେ ୩ ଜଣ ଆହତ ହୋଇଥିବା ଜଣାଯାଇଛି। ଏକକାଳୀନ ଗାଁ ଦାଣ୍ଡରେ ଫୁଟିଛି ୮ଟି ବୋମା । ଏଥିସହ ଜଣଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଚାରିଜଣ ଦୁର୍ବୃତ୍ତ । ଆହତଙ୍କୁ ଗୁରୁତର ଅବସ୍ଥାରେ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ପଞ୍ଚାୟତ ନିର୍ବାଚନ ପରଠାରୁ ସରପଞ୍ଚ ଓ ତାଙ୍କ ବିରୋଧୀ ଗୋଷ୍ଠୀଙ୍କ ସହ ବିବାଦ ଲାଗିରହିଥିଲା । ଜୁଲାଇ ୧୪ ତାରିଖରୁ ଗାଁରେ ଶ୍ମଶାନ ରାସ୍ତାକୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏନେଇ ଆଠଗଡ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ହୋଇପାରି ନ ଥିଲା ସମାଧାନ । ଏହାପରେ ଉତ୍ତେଜନା ଥମି ନ ଥିବା ବେଳେ ଆଜି ସକାଳୁ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଘଟଣାସ୍ଥଳରେ ଆଠଗଡ଼ ପୁଲିସ ମୁତୟନ ହୋଇଥିବା ବେଳେ ଏବେ ବି ଗାଁରେ ପଡ଼ି ରହିଛି ୪ଟି ଅଫୁଟା ବୋମା।