ଜୟପୁର: ରାଜସ୍ଥାନରେ ଚୁରୁରେ ବାୟୁସେନାର ବିମାନ କ୍ରାସ୍ । ବାୟୁସେନାର ଜାଗୁଆର ଫାଇଟର ଏୟାରକ୍ରାଫ୍ଟ ଦୁର୍ଘଟଣା । ପ୍ଲେନ କ୍ରାସରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ହେଲା ସେନେଇ କିଛି ସ୍ପଷ୍ଟ ହୋଇନି । ତୁରନ୍ତ ସେଠାରେ ପୋଲିସ ଓ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ଦେଖଣାହାରୀଙ୍କ କହିବା କଥା ଆକାଶରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଶବ୍ଦ ପରେ କ୍ଷେତରେ ନିଆଁ ଓ ଧୂଆଁ ଉଠୁଥିବାର ଦେଖାଯାଇଥିଲା ।
ରତନଗଡ଼ ଅଞ୍ଚଳର ଭାନୁଦା ଗାଁରେ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଏଥିରେ ଜଣେ ପାଇଲଟ୍ଙ୍କ ମୃତଦେହ ଅଛି ବୋଲି ଶୁଣିବାକୁ ମିଳୁଛି । ବିମାନ ଦୁର୍ଘଟଣା ସୂଚନା ମିଳିବା ପରେ ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଦୁର୍ଘଟଣା ସ୍ଥଳରେ ବିମାନର ଧ୍ବଂସାବଶେଷ ପଡିଛି । ଜିଲ୍ଲାପାଳ ଅଭିଷେକ ସୁରାନା ଏବଂ ସ୍ଥାନୀୟ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଘଟଣା ସ୍ଥଳକୁ ସିଲ୍ କରାଯାଇ ଯାଞ୍ଚ ଆରମ୍ଭ ହୋଇଛି । ତେବେ ବିମାନ କ୍ରାସ ହୋଇଥିବା ବିଲରେ ତୁରନ୍ତ ନିଆଁ ଲାଗିଯାଇଥିଲା ।
ଏହା ଏକ ବ୍ରିଟିଶ-ଫ୍ରାନ୍ସିକ ସୁପରସୋନିକ୍ ଜେଟ୍ ଆକ୍ରମଣ ବିମାନ। ଏହା ୩୬ ହଜାର ଫୁଟ ଉଚ୍ଚତାରେ ଉଡ଼ିବାକୁ ସକ୍ଷମ। ଏହା ଦେଢ଼ ମିନିଟ୍ ମଧ୍ୟରେ ୩୦ ହଜାର ଫୁଟ ଉଚ୍ଚତାରେ ପହଞ୍ଚିପାରିବ। ଏହା ସହିତ, ଏହା ୬୦୦ ମିଟରର ଏକ ଛୋଟ ରନୱେରୁ ମଧ୍ୟ ଉଡ଼ାଣ କିମ୍ବା ଅବତରଣ କରିପାରିବ।