କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଆନନ୍ଦପୁର ଉପଖଣ୍ଡ ଦୀପପାଳ ଗାଁର ଜଣେ ନବବଧୂଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି । ଶୋଇବା ଘରେ ମହିଳା ଜଣଙ୍କର ମୃତଦେହ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି । ତେବେ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରିଛି ସୀମା ବିବାଦ ।
ଗତ ଜୁଲାଇ ୧୦ ତାରିଖରେ ଗାଁର ହରିହରଙ୍କୁ ଯାଜପୁରର ପୁରୁଷୋତ୍ତମ ବୋଇତୋଇଙ୍କ ଝିଅ ହେମଲତା ବିବାହ କରିଥିଲେ । କିନ୍ତୁ ବାହାଘର ମାତ୍ର କିଛି ମାସ ମଧ୍ୟରେ ଶାଶୁ ଘରେ ତାଙ୍କର ମୃତଦେହ ଠାବ ହୋଇଛି । ଏହାପରେ ଶାଶୁଘର ଲୋକେ ହେମଲତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ବାପା ପୁରୁଷୋତ୍ତମ । ଗତକାଲି ମଧ୍ୟାହ୍ନରେ ହେମଲତା ନିଜ ଶୋଇବା ଘର ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏହା ଦେଖିବା ପରେ ପୋଲିସକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି ସତ । କିନ୍ତୁ ଏହାମଧ୍ୟରେ ୨୦ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏଯାବତ ଶବ ଉଦ୍ଧାର କରାଯାଇନାହିଁ । ହେମଲତାଙ୍କ ଶାଶୁଘର ଅଧା କେନ୍ଦୁଝର ଏବଂ ଅଧା ଯାଜପୁର ଜିଲ୍ଲାରେ ଅବସ୍ଥିତ ହୋଇଥିବାରୁ ଉଭୟ ପୋଲିସଙ୍କ ମଧ୍ୟରେ ଦେଖା ଦେଇଛି ସୀମା ବିବାଦ । ତେଣୁ ବାପ ଘର ଏବଂ ପୋଲିସ ପହଞ୍ଚିବାର ୨୦ ଘଣ୍ଟା ପରେ ମଧ୍ୟ ମୃତ ହେମଲତାଙ୍କୁଶବ ଜବତ କରିପାରିନି କୌଣସି ପୋଲିସ । ସେପଟେ ପୋଲିସର ଏପରି ଅବହେଳାକୁ ନେଇ ଗାୟମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି ।