ପଦ୍ମପୁର: ୨ ବର୍ଷ ହେବ କରୋନା ପାଇଁ କ୍ଲାସରୁମ ପାଠପଢା ଠପ ପଡିଛି । ଅନଲାଇନରେ ଚାଲିଛି ଶିକ୍ଷାଦାନ । କିନ୍ତୁ ସବୁ ଅଞ୍ଚଳରେ ମୋବାଇଲ ସେବା ଉପଲବ୍ଧ ନାହିଁ । ଏମିତି ଏକ ଅଞ୍ଚଳ ଗୁଣୁପୁର । ପାଠପଢିବାର ଦୁର୍ବାର ଇଛା ନେଇ ୧୩ ବର୍ଷର ପିଲାଟି ନେଟୱାର୍କ ପାଇଁ ପାହାଡ ଉପରକୁ ଯାଏ । ଗତକାଲି ମଧ୍ୟ ଯାଇଥିଲା । କିନ୍ତୁ ଭଗବାନଙ୍କୁ ଆଉ କିଛି ମଞ୍ଜୁର ଥିଲା । ପାହାଡ ଉପରୁ ଖସି ଚାଲିଗଲା ଜୀବନ ।
ରାୟଗଡା ଜିଲ୍ଲା ପଦ୍ମପୁର ବ୍ଳକ୍ ପାଣ୍ଡ୍ରାଗୁଡା ଗାଁର ୧୩ ବର୍ଷର ବାଳକ ଆନ୍ଦ୍ରୀୟ ଜାଗାରଙ୍ଗ । ଗରିବ ପରିବାରରେ ଜନ୍ମ । କିନ୍ତୁ ପାଠପଢା ପ୍ରତି ରହିଥିଲା ଆଗ୍ରହ । ପାଠପଢି ବଡ ମଣିଷ ହେବ । ପରିବାରର ଦୁଃଖ ଦୁର୍ଦ୍ଦଶା ଦୂରକରିବାକୁ କୁନି ପିଲାଟି ମନରେ ଥିବା ଦୃଢ ବିଶ୍ୱାସ । କଟକର ଏକ ମିଶନାରୀ ସ୍କୁଲରେ ଆନ୍ଦ୍ରୀୟର ନାମ ଲେଖା ହୋଇଥିଲା । କିନ୍ତୁ କରୋନା ପାଇଁ ସ୍କୁଲ ବନ୍ଦ ହୋଇଯିବା ପରେ ସେ ତାର ଗାଁକୁ ଫେରି ଆସିଥିଲା ଓ ମୋବାଇଲରେ କ୍ଲାସ କରୁଥିଲା । କିନ୍ତୁ ଘରପାଖକୁ ନେଟୱାର୍କ ଆସୁନଥିଲା । ତେଣୁ ବାଳକଟି ପ୍ରାୟ ଗାଁ ପାଖ ପାହାଡ ଉପରେ ଯାଇ କ୍ଲାସ କରୁଥିଲା । ହେଲେ ଭାଗ୍ୟ ଖରାପ କି, ପଢିବାକୁ ସେ ପାହାଡ ଉପରେ ମଙ୍ଗଳବାର ଦିନ ଚଢିବା ବେଳେ ତାର ଗୋଡ ପଥର ଉପରେ ଖସି ଯାଇଥିଲା । ଫଳରେ ସେ ଆସି ପଡିଥିଲା ପାହାଡ ତଳେ । ତାକୁ ଗୁରୁତର ଅବସ୍ଥାରେ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ହେଲେ ସେଠାରେ ତାର ମୃତ୍ୟୁ ହୋଇଛି । ପୁଅର ମୃତ୍ୟୁ ପରେ ସାରା ପରିବାର ତଥା ଗାଁରେ ଶୋକାକୂଳ ପରିବେଶ ।