(ସରୋଜ ରାଉତ) ଭୁବନେଶ୍ୱର: ଦବିଲା ପଳାଶୁଣୀ ଓଭର ବ୍ରିଜ । ଏହି କିଛି ଦିନ ତଳେ ଉଦ୍ଘାଟନ ହୋଇଥିବା ସପ୍ତସଯ୍ୟା ମନ୍ଦିର ନିକଟ ଓଭର ବ୍ରିଜ ଦବିବାରେ ଲାଗିଛି । ଗତକାଲି ସଂଧ୍ୟା ସମୟରେ ଏହି ବ୍ରିଜ ଦେଇ ଭାରିଯାନ ଯାଉଥିବା ସମୟରେ ବ୍ରିଜ ଦବିବା ସହ ସେଠାରେ ଗାତ ହୋଇ ଫାଟି ଯାଇଛି । ବ୍ରିଜ ଦବିବାର ଖବର ପାଇ ଏନଆଇ ଅଧିକାରୀ, ମଞ୍ଚେଶ୍ୱରଥାନା ଅଧିକାରୀ ସେଠାରେ ପହଂଚି ଛାନଭିନ ଆରମ୍ଭ କରିଥିଲେ ।
ସ୍ମାର୍ଟ ସିଟିର ଭିତ୍ତିଭୂମି ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି । ସରକାର ବ୍ରିଜ ଓ ରାସ୍ତାଘାଟ ନିର୍ମାଣରେ ପ୍ରଚୁର ଅର୍ଥ ବ୍ୟୟ କରୁଛନ୍ତି । କିନ୍ତୁ କିଛି ସରକାରୀ ଅଧିକାରୀମାନେ ନିଜ ପକେଟ ଗରମ କରିବା ଉଦ୍ଦେଶ୍ୟରେ ନିମ୍ନ ମାନର କାମ କରି ସାଧାରଣ ଜନତାଙ୍କ ଜୀବନ ସହ ଖେଳ ଖେଳୁଛନ୍ତି । ଏଥିରେ କେବଳ ଅଧିକାରୀ ସାମିଲ ହେଉ ନାହାନ୍ତି, ଏହି ଘୋଟାଲାରେ ମନ୍ତ୍ରୀଠାରୁ ଯନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ପର୍ସେଣ୍ଟେଜ ନେଇ ଆରାମରେ ଜୀବନ କାଟୁଛନ୍ତି ।
ଏମିତି ବ୍ରିଜ ଦବିବା ବା ଖସିବା ଘଟଣା ନୂଆ ନୁହେଁ । ଏହି କିଛି ବର୍ଷ ଭିତରେ ଭୁବନେଶ୍ୱରରେ ବ୍ରିଜ ଖସି ୩ଜଣ ମୃତ୍ୟୁ ବରଣ କରିଛନ୍ତି । ବାରମ୍ବାର ଏପରି ଘଟଣା ଘଟୁଥିଲେ ମଧ୍ୟ ଚେତା ପସୁନି ସରକାରର । କେବଳ ସରକାରୀ ଅର୍ଥ ବ୍ୟୟ କରି ନାନା ବ୍ରିଜ କରି ବାହାବା ନେବାରେ ରହିଛି ସରକାର । କିନ୍ତୁ କାମର ତଦାରଖ ସଠିକ ରୂପେ ହେଉନାହିଁ ।