(ପ୍ରିୟଦର୍ଶନୀ ସ୍ୱାଇଁ /ରିପୋଟର୍ସ ଟୁଡ଼େ) ଭୁବନେଶ୍ୱର: ଯାଜପୁର ବଡଚଣା ବ୍ଲକ ରାଧାଦେଇପୁର ଗେଙ୍ଗୁଟି ନଦୀ ଉପରେ ଠିଆ ହୋଇଥିବା ବାଇଶିମୌଜା ସେତୁର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ଲୋକାର୍ପଣ କରିଛନ୍ତି । ୧୯୯୩ ମସିହାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ସେତୁର ଶୁଭ ଦେଇଥିଲେ । ଆଉ ଦୀର୍ଘ ୨୬ ବର୍ଷ ପରେ ତାଙ୍କ ସୁପୁତ୍ର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ଅମଳରେ ପୋଲ ନିର୍ମାଣ ଶେଷ ହେବା ସହ ଲୋକାର୍ପିତ କରିଛନ୍ତି । ଫଳରେ ଯାଜପୁର ଜିଲ୍ଳା ବଡଚଣା ବ୍ଲକର ରାଧାଦେଇପୁର ଓ ବାଇଶିମୌଜା ଅଂଚଳବାସୀଙ୍କ ଦୀର୍ଘଦିନର ସମସ୍ୟା ସମାଧାନ ହୋଇଛି ।
ପୋଲଟିଏ ନଥିବାରୁ ନଦୀର ଆରପଟେ ରହୁଥିବା ଅରଖପୁର, ସାଇଁତିପୁର, କୁନ୍ଦଳ ସମେତ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଅନେକ ପଂଚାୟତବାସୀ ବହୁ ଅସୁବିଧା ଭୋଗୁଥିଲେ । ସ୍ଥାନୀୟ ବିଧାୟକ ଅମର ଶତପଥିଙ୍କ ପ୍ରଚେଷ୍ଟା ଓ ରାଜ୍ୟ ସରକାରଙ୍କ ୨୦ କୋଟି ଟଙ୍କାର ଅନୁଦାନରେ ସେତୁଟି ତିଆରି ହେବା ପରେ ଲୋକଙ୍କ ଗମନାଗମନ ସହଜ ହୋଇଛି । ଆଉ କଟକ ଓ ଯାଜପୁର ଜିଲ୍ଳା ମଧ୍ୟରେ ଦୂରତା କମିବା ସହ ସମ୍ପର୍କ ବଢିଛି ।