କଟକ-: କଟକରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଚାଉଳିଆଗଞ୍ଜ ଅଞ୍ଚଳରେ ଜଣେ ବିଟେକ୍ ଛାତ୍ର ନିଜର ଅପହରଣ ଯୋଜନା ରଚିଥିଲେ। ତେବେ ପୋଲିସ ଅପହରଣ ନାଟକର ପର୍ଦ୍ଦାଫାସ୍ କରିଥିବା କଟକ ଡିସିପି ଋଷିକେଶ ଖିଲାର ସୂଚନା ଦେଇ କହିଛନ୍ତି ଯେ, ଘରୁ ନିଖୋଜ ହୋଇ ବିଟେକ୍ ଛାତ୍ର ନିଜର ଅପହରଣ ଯୋଜନା କରିଥିଲେ। ତଦନ୍ତରୁ ଜଣାପଡିଛି, କ୍ରିପ୍ଟୋ କରେନ୍ସିରେ କ୍ଷତି ହେବା ପରେ, ଛାତ୍ର ଜଣକ ତାଙ୍କ ପରିବାର ସଦସ୍ୟଙ୍କ ଠାରୁ କ୍ଷତି ଭରଣା କରିବା ପାଇଁ ଟଙ୍କା ଆଦାୟ କରିବାକୁ ଯୋଜନା କରିଥିଲେ।
ସୂଚନା ଅନୁଯାୟୀ, ଛାତ୍ର ଜଣକ ତାଙ୍କର କିଛି ବନ୍ଧୁଙ୍କ ସହିତ ମିଶି ତାଙ୍କ ପରିବାର ସଦସ୍ୟଙ୍କଠାରୁ ୫୦ ହଜାର ଟଙ୍କା ମାଗିଥିଲେ। ନହେଲେ ଅପହରଣ କରାଯାଇଥିବା ପୁଅଙ୍କୁ ମୁକ୍ତ କରାଯିବ ନାହିଁ ବୋଲି ପରିବାର ସଦସ୍ୟଙ୍କୁ ଧମକ ଦେଇଥିଲେ । ପରିବାର ସଦସ୍ୟମାନେ ଭୟଭୀତ ହୋଇ ପୋଲିସ ଖବର ଦେଇଥିଲେ। ଯୁବକଙ୍କ ଭଉଣୀ ଜୁନ୍ ୨୦ ତାରିଖରେ ଏନେଇ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଛାତ୍ରଙ୍କ ଫୋନ୍ ଟ୍ରାକ୍ କରିଥିଲା ଏବଂ ତଦନ୍ତ ପରେ ତାଙ୍କୁ ପାଇଥିଲା । ଏହାପରେ ଅପହରଣ ପଛର ସମ୍ପୂର୍ଣ୍ଣ କାହାଣୀ ଜଣାପଡ଼ିଥିଲା।