କଳାହାଣ୍ଡି: ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ନୁହେଁ କାନ୍ଧ ପାଲଟିଛି ସାହାରା । ଗାଁକୁ ରାସ୍ତା ନଥିବାରୁ ଅଧାରେ ଅଟକିଲା ଆମ୍ବୁଲାନ୍ସ । ୩ କିଲୋମିଟର କାନ୍ଧରେ ବୁହାହେଲେ ରୋଗୀ । କଳାହାଣ୍ଡି ଲାଂଜିଗଡ଼ ବ୍ଲକ ଆଦିବାସୀ ଅଧ୍ୟୁସିତ ମାଳିଯୁବାଙ୍ଗ ପଂଚାୟତର ବଡ଼ସେମେଲ ପଦର ଗାଁକୁ ରାସ୍ତା ନଥିବାରୁ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଗାଁର ମହେନ୍ଦ୍ର ମାଝୀଙ୍କୁ କିଛି ଦିନ ହେଲା ଜ୍ୱର ହେଉଥିଲା ।
ତାଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ପରିବାର ଲୋକ ଯୋଗାଯୋଗ କରିଥିଲେ । କିନ୍ତୁ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁ ଠାରୁ ୩ କିଲୋମିଟର ଦୂରରେ ଅଟକି ରହିଥିଲା । ଫଳରେ ପରିବାର ଲୋକେ ରୋଗୀଙ୍କୁ ୩ କିଲୋମିଟର କାନ୍ଧରେ ବୋହି ଆମ୍ବୁଲାନ୍ସ ପାଖକୁ ନେଇଥିଲେ । ରାସ୍ତା ସମସ୍ୟା ନେଇ ଗ୍ରାମବାସୀ ପ୍ରଶାସନକୁ ବାରମ୍ବାର ଦାବି ପରେ ବି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।