ଭୁବନେଶ୍ୱର : ଆଜି ସଂସଦରେ ସାଧାରଣ ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମୋଦି ସରକାରଙ୍କ ଦ୍ୱତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ । ୨୦୨୪ ରେ ସାଧାରଣ ନିର୍ବାଚନ ଥିବାରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ । ଏହି ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ନୂଆ ଆୟକର ବ୍ୟବସ୍ଥା ଘୋଷଣା କରିଛନ୍ତି । ସରକାର ୭ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆୟ ଉପରେ କର ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆୟକର ଟାକ୍ସ ସ୍ଲାବ ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରିଛନ୍ତି ସରକାର । ନୂଆ ଟାକ୍ସ ସ୍ଲାବ ଅନୁସାରେ ପାଇଁ ଜଣେ ବ୍ୟକ୍ତିକୁ ବାର୍ଷିକ ଆୟ ୩ ଲକ୍ଷ ଯାଏଁ କୌଣସି କର ଦେବାକୁ ପଡ଼ିବ ନାହିଁ । ଏହା ପୂର୍ବରୁ ୨.୫ ଲକ୍ଷ ଟଙ୍କା ଥିଲା । ସେହିପରି ୩ ଲକ୍ଷରୁ ୬ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆୟ ପାଇଁ ୫ ପ୍ରତିଶତ କର ଦେବାକୁ ହେବ । ଏହାଛଡ଼ା ୬ ରୁ ୯ ଲକ୍ଷ ଟଙ୍କା ଆୟ ଉପରେ ୧୦ ପ୍ରତିଶତ, ୯ ରୁ ୧୨ ଲକ୍ଷ ଟଙ୍କା ଆୟ ଉପରେ ୧୫ ପ୍ରତିଶତ, ୧୨ରୁ ୧୫ ଲକ୍ଷ ଟଙ୍କା ଆୟ ଉପରେ ୨୦ ପ୍ରତିଶତ ଏବଂ ୧୫ ଲକ୍ଷରୁ ଅଧିକ ବାର୍ଷିକ ଆୟ ପାଇଁ ୩୦ ପ୍ରତିଶତ କର ଦେବାକୁ ହେବ ।
ସେହିପରି ୫ କୋଟିରୁ ଅଧିକ ବର୍ଷିକ ଆୟ ଉପରେ ଲାଗୁଥିବା ଅତିରିକ୍ତ ଶୁଳ୍କକୁ ସରକାର ୩୭ ପ୍ରତିଶତରୁ ୨୫ ପ୍ରତିଶତକୁ କମ କରିଛନ୍ତି । ସେହିପରି ଚକିତ ବଜେଟ୍ ଅନୁଯାୟୀ ଖେଳନା, ସାଇକେଲ, ଅଟୋମୋବାଇଲ ପାର୍ଟସ ଶସ୍ତା ହେବ । ବୈଦ୍ୟୁତିକ ଯାନ ଶସ୍ତା ହେବ । ସେହିପରି ବିଦେଶରୁ ଆସୁଥିବା ରୂପା ଜିନିଷ ମହଙ୍ଗା ହେବ । ରୋଷେଇ ଘରର ଚିମିନି ମହଙ୍ଗା ହେବ। କିଛି ମୋବାଇଲ୍ ଫୋନ୍, କ୍ୟାମେରା ଲେନ୍ସ ଶସ୍ତା ହେବ । ଏଲଇଡି ଟିଭି ଓ ବାୟୋଗ୍ୟାସ ଶସ୍ତା ହେବ। ସିଗାରେଟ୍ ମହଙ୍ଗା ହେବ।ସରକାର ଆସନ୍ତା ଆର୍ଥିକ ବର୍ଷର ମହିଳା ସମ୍ମାନ ସଞ୍ଚୟ ଯୋଜନା ଆରମ୍ଭ କରିବେ । ଏଥିରେ ମହିଳାମାନେ ୨ ଲକ୍ଷ ସଞ୍ଚୟ ଉପରେ ୭.୫ ପ୍ରତିଶତ ସୁଧ ପାଇବେ । ବରିଷ୍ଠ ନାଗରିକ ଆକାଉଣ୍ଟ ସ୍କିମର ସୀମା ୪.୫ ଲକ୍ଷରୁ ୯ ଲକ୍ଷକୁ ବୃଦ୍ଧି କରାଯିବ।କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ୪.୦ ଆରମ୍ଭ କରିବେ । ଯୁବକମାନଙ୍କୁ ଆନ୍ତର୍ଜାତୀୟ ସୁଯୋଗ ଏବଂ କୁଶଳୀ କରିବା ପାଇଁ ବିଭିନ୍ନ ରାଜ୍ୟରେ ୩୦ଟି ସ୍କିଲ୍ ଇଣ୍ଡିଆ ଅନ୍ତର୍ଜାତୀୟ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଗ୍ରୀନ ହାଇଡ୍ରୋଜେନ ଏବଂ ଅନ୍ୟ ସବୁଜ ଶକ୍ତି ପ୍ରକଳ୍ପ ପାଇଁ ସରକାର ୩୫,୦୦୦ କୋଟି ଟଙ୍କାର ବଜେଟ୍ ରଖିଛନ୍ତି ।
ସରକାର ଆଉ ୫୦ଟି ନୂଆ ବିମାନବନ୍ଦର ତିଆରି କରିବାକୁ ଯୋଜନା ରଖିଛନ୍ତି । ଆଉ ଏକ ବର୍ଷ ପାଇଁ ରାଜ୍ୟର ସରକାରମାନଙ୍କୁ ୫୦ ବର୍ଷର ସୁଧମୁକ୍ତ ଋଣ ଜାରି ରଖିବ କେନ୍ଦ୍ର । ସେହିପରି କୃଷି କ୍ଷେତ୍ର ରେ ଆଗାମୀ ୩ ବର୍ଷରେ ଏକ କୋଟି ଚାଷୀଙ୍କୁ ପ୍ରାକୃତିକ ଚାଷ କରିବାକୁ ସାହାଯ୍ୟ କରାଯିବ ଏବଂ ଏଥିଲାଗି ୧୦,୦୦୦ ବାୟୋ ଇନପୁଟ୍ କେନ୍ଦ୍ର ଖୋଲାଯିବ । ସେହିପରି ୫ଜି ଉପରେ ଗବେଷଣା ପାଇଁ ବିଭିନ୍ନ ଇଂଜିନିଅରିଂ କଲେଜଗୁଡ଼ିକରେ ୧୦୦ଟି ଲ୍ୟାବ ନିର୍ମାଣ ହେବ । ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ର ରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ମାଗଣା ଶସ୍ୟ ଯୋଜନା ପାଇଁ ୨ ଲକ୍ଷ କୋଟି ଟଙ୍କା ବଜେଟ୍ ରଖାଯାଇଛି । ଏବଂ ରେଳ ପାଇଁ ଆସନ୍ତା ଆର୍ଥିକ ବର୍ଷରେ ରେଳବାଇ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।
ଆଉ ବଡ଼ କଥା ହେଲା ପ୍ରଧାନମନ୍ତ୍ରୀ ଆୱାସ ଯୋଜନାର ବ୍ୟୟ ୬୬ ପ୍ରତିଶତ ବୃଦ୍ଧି ହୋଇ ୭୯୦୦୦ କୋଟିରୁ ଅଧିକ ହୋଇଛି । ଆଦିବାସୀଙ୍କ ବିକାଶ ପାଇଁ ଆସନ୍ତା ୩ ବର୍ଷ ମଧ୍ୟରେ ଆଦିବାସୀ ଛାତ୍ରମାନଙ୍କୁ ସମର୍ଥନ କରୁଥିବା ୭୪୦ ଏକଲବ୍ୟ ମଡେଲ ସ୍କୁଲ ତିଆରି ହେବ । ଏଥିଲାଗି ସରକାର ୩୮୮୦୦ ଶିକ୍ଷକ ଏବଂ ସହାୟକ କର୍ମଚାରୀ ନିଯୁକ୍ତ କରିବେ । ପ୍ରଧାନମନ୍ତ୍ରୀ କିଶାନ ଯୋଜନା ଅଧୀନରେ ସରକାର ଚାଷୀମାନଙ୍କୁ ୨.୨ ଲକ୍ଷ କୋଟି ଟଙ୍କା ନଗଦ ପ୍ରଦାନ କରାଯାଇଛି । ଏଗ୍ରି ଷ୍ଟାର୍ଟଅପ୍ ପ୍ରୋତ୍ସାହନ ପାଇଁ ଆଗ୍ରି ଆକ୍ସିଲେରେଟର ଫଣ୍ଡ ବ୍ୟବସ୍ଥା କରାଯିବ।ମିଲେଟକୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହେବ ‘ଶ୍ରୀଅନ୍ନ’ । ପଶୁପାଳନ, ଦୁଗ୍ଧ ଏବଂ ମତ୍ସ୍ୟଚାଷ ପାଇଁ ଦେଶରେ ଦିଆଯାଉଥିବା କୃଷି ଋଣକୁ ୨୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯିବ । ୧୨୦ କୋଟି ଲୋକଙ୍କୁ ୨୨୦ କୋଟି ଡୋଜ୍ କରୋନା ଟିକା ଦିଆଯାଇଛି । ୯.୬ କୋଟି ଏଲ୍ପିଜି କନେକ୍ସନ ଦିଆଯାଇଛି ।