ଭୋପାଳ: ଏକ ଯାତ୍ରୀବାହୀ ବସ୍ କେନାଲକୁ ଖସିପଡିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଯାତ୍ରୀ ନିଖୋଜ ହୋଇଛନ୍ତି । ମଧ୍ୟପ୍ରଦେଶ ରିୱା-ସିଦ୍ଧି ସୀମା ନିକଟସ୍ଥ ଛୁହିୟାଘାଟି ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଏସଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛି। ନିଖୋଜଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ଅଛନ୍ତି । ଆଶଙ୍କା କରାଯାଉଛି, ଏହି ମୃତ ସଂଖ୍ୟା ଆଗକୁ ଆହୁରି ବୃଦ୍ଧି ପାଇବ ।
ସକାଳୁ ସକାଳୁ ବସ୍ଟି ୫୪ ଯାତ୍ରୀଙ୍କୁ ନେଇ ସିଦ୍ଧିରୁ ସତନାକୁ ଯାଉଥିବା ବେଳେ ଡ୍ରାଇଭର ଗାଡି ଉପରୁ ଭାରସାମ୍ୟ ହରାଇ ବସିଥିଲେ। ଫଳରେ ବସଟି କେନାଲ ମଧ୍ୟକୁ ଖସିପଡିଥିଲା । ୭ଜଣ ଯାତ୍ରୀ ସୌଭାଗ୍ୟବଶତଃ ପହଁରି ପହଁରି କୂଳକୁ ଚାଲିଆସିଥିଲେ । ଖବର ପାଇ ପୁଲିସ ଓ ଏସଡିଆର୍ଏଫ୍ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୭ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଗଲାଣି । ଏହି ସଂଂଖ୍ୟା ଆହୁରି ବୃଦ୍ଧି ହେବା ସମ୍ଭାବନା ରହିଛି।
ଏହି ଦୁର୍ଘଟଣା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶୋକବ୍ୟକ୍ତ କରିଛନ୍ତି। ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ବାଣସାଗର ଡ୍ୟାମରୁ କେନାଲକୁ ଆସୁଥିବା ପାଣି ଅଟକାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପାଣି କମିଲେ ଉଦ୍ଧାର କାର୍ୟ୍ୟ ଶୀଘ୍ର ହୋଇପାରିବ ବୋଲି ସେ କହିଛନ୍ତି।