ପୁରୀ: ଆମ ଦେଶରେ ଅନେକ ପିଲା ରାସ୍ତା କଡରେ ଜନ୍ମ ହୋଇ ରାସ୍ତାରେ ପଡୁଛନ୍ତି । ଯଦି ପ୍ରତ୍ୟେକ ସମୃଦ୍ଧ ପରିବାର ଗୋଟିଏ ଗୋଟିଏ ପିଲାକୁ ପୋଷ୍ୟ ବା ପାଳିତ ପୁତ୍ର/ କନ୍ୟା ଭାବେ ଗ୍ରହଣ କରନ୍ତେ ତେବେ ଆଉ କେହି ଅନାଥ ରୁହନ୍ତେ ନାହିଁ । କଥାରେ ନୁହେଁ କାର୍ଯ୍ୟରେ କରି ଦେଖାଇବାର ଆବଶ୍ୟକତା ରହିଛି ବୋଲି ପୁରୀ ସ୍ଥିତ ସ୍ମୃତିର ଓଡିଶା, ଅନ୍ତର୍ଜାତୀୟ ଟ୍ରଷ୍ଟ ପକ୍ଷରୁ ୯ମ ଜାତୀୟ ଶିଶୁଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଥିଲେ । ସେ ଆହୁରି କହିଥିଲେ କୌଣସି ଶିକ୍ଷକ ୩୦ ଜଣ ପିଲାଙ୍କୁ ଟ୍ୟୁସନ କରୁଥିବା ବେଳେ ଆଉ ଜଣେ ପିଲାକୁ ମାଗଣା ଟ୍ୟୁସନ ଦେଲେ ତାଙ୍କର କିଛି କ୍ଷତି ହେବ ନାହିଁ କିନ୍ତୁ ଜଣେ ଶିଶୁର ଭବିଷ୍ୟତ ଗଢାଯାଇ ପାରିବ । ଆମେ ସମସ୍ତେ ନିଜ ସ୍ତରରେ ପ୍ରୟାସ କଲେ କୌଣସି ଶିଶୁ ପାଇଁ ଅନାଥାଶ୍ରମ ଆବଶ୍ୟକ ହେବ ନାହିଁ ବୋଲି ମନ୍ତ୍ରୀ କହିଥିଲେ ।
କରୋନା କଟକଣା ମଧ୍ୟରେ ଏହି କାର୍ଯ୍ୟକ୍ରମକୁ ଭର୍ଚ୍ୟୁଆଲ ମାଧ୍ୟମରେ ପାଳନ କରାଯାଇଥିଲା । କୁନି କଳାକାର ହଂସିକା ରାଉତଙ୍କ ନୃତ୍ୟୁରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ରମାଦେବୀ ବିଶ୍ୱବିଦ୍ୟାଳୟର ଉପକୁଳପତି ପଦ୍ମଜା ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କରୋନା ମହାମାରୀକୁ ଏକ ସୁଯୋଗ ରୂପେ ଗ୍ରହଣ କରିବାକୁ ପିଲାମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ କରିଥିଲେ । ଆମେ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ହିଁ ଉନ୍ନତି କରି ପାରିବା । ଏହି ମହାମାରୀ ଆମକୁ ଅନେକ କିଛି ଶିକ୍ଷା ଦେଇଥିବା ସେ କହିଥିଲେ । ସେହିପରି କାର୍ଯ୍ୟକ୍ରମରେ ସଂଜୀବ ପଟଯୋଶୀ ନୂତନ ଶିକ୍ଷା ନୀତି ଉପରେ ଗୁରୁତ୍ୱାରୋପ କରିଥିଲେ । ନୂତନ ଶିକ୍ଷା ନୀତି ମାଧ୍ୟମରେ ଆମ ପିଲାମାନେ ଦେଶ ବିଦେଶରେ ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରି ପାରିବେ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଡନି, ଅଷ୍ଟେଲିଆର ବରିଷ୍ଠ କ୍ୟାନସର ବିଶେଷଜ୍ଞ ନଳିନୀକାନ୍ତ ପତି ସମ୍ମାନିତ ଅତିଥି, ଆର୍ଯ୍ୟଭଟ୍ଟ ଟ୍ରଷ୍ଟର ମାଲିକ ଚିଦାତ୍ମିକା ଖଟୁଆ, ସ୍ମୃତିର ଓଡିଶାର ଅଧ୍ୟକ୍ଷ ରାମଚନ୍ଦ୍ର ଦାଶ ମହାପାତ୍ର, ନାସନାଲ ଏନଜିଓ ଫେଡେରେସନ ଅଫ ଇଣ୍ଡିଆର ସାଧାରଣ ସମ୍ପାଦକ ଡ ରବୀନ୍ଦ୍ର ନାରାୟଣ ବେହେରା, ନିର୍ଦ୍ଦେଶକ ଆଇଏଚଆରସିସିସି ଡ ରାଜେଶ କୁମାର, ରାଜ୍ୟ ସରକାରଙ୍କ ଯୁଗ୍ମ ସଚିବ ଡ ସ୍ୱେତ କୁମାର, ଆଇଏଚଆରସିସି, ୟୁଏଇ ମହମ୍ମଦ ଅଲି ପ୍ରମୁଖ ଯୋଗ ଦେଇଥିଲେ ।
ସ୍ମୃତିର ଓଡିଶା ପକ୍ଷରୁ ଅନୁଷ୍ଠିତ ସଂଗୀତ, ନାଚ, ଚିତ୍ରାଙ୍କନ, ଏକକ ଅଭିନୟରେ ଅନ୍ତରାଷ୍ଟ୍ରୀୟସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର ବିଜୟୀ ଛାତ୍ରଛାତ୍ରୀଙ୍କୁ ଏହି ଭର୍ଚ୍ୟୁଆଲ ପ୍ଲାଟଫର୍ମରେ ମୁଖ୍ୟ ଅତିଥି ପ୍ରତାପ ଷଡଙ୍ଗୀ ପୁରସ୍କାର ବିତରଣ କରିଥିଲେ । ଏହି ପୁରସ୍କାର ବିତରଣୀ ଉତ୍ସବକୁ ସ୍ମୃତିର ଓଡିଶାର ବରିଷ୍ଠ ଟ୍ରଷ୍ଟି ଡ ପୂଜା ସିଂହ ସଂଯୋଜନା କରିଥିଲେ । ସୁନାମଧନ୍ୟ ଶାସ୍ତ୍ରୀୟ ସଂଗୀତଜ୍ଞ ସର୍ବେଶ୍ୱର ବୈଥାରୁ, ଗାୟିକା ରଚିତା ସାହୁ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ । ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସାଧାରଣ ସମ୍ପାଦକ ରଜନୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହାର ପରିଚାଳନା କରିଥିଲେ ଦୂରଦର୍ଶନର ବରିଷ୍ଠ ପରିଚାଳିକା ସଙ୍ଗୀତା ଦାସ ଓ ଧନ୍ୟବାଦ ଦେଇଥିଲେ ସ୍ମୃତିର ଓଡିଶାର ଜାତୀୟ ସଚିବ ଆଭା ଶତରୂପା ପତି ।
Edited by Shilasmita Ray