ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା ଦିନକୁ ଦିନ ଅଡ଼ୁଆ ସୁତା ଖିଅ ମଧ୍ୟରେ ଛନ୍ଦି ହୋଇଯାଉଛି । ହତ୍ୟା ମାମଲାରେ ପ୍ରତିଦିନ ସାମ୍ମନାକୁ ଆସୁଛି ଚାଞ୍ଚଲ୍ୟକର ତଥ୍ୟ । ତେବେ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଘଟଣାରେ ଚାନ୍ଦବାଲି ଥାନା ଯାଇ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ । ତେବେ ଦ୍ବିତୀୟ ଦିନରେ ଚାନ୍ଦବାଲିରେ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ ଜାରି ରଖିଛି। ସେହିଭଳି ଘଟଣାରେ ଆଜି ଦୁଇ ଜଣ ସାକ୍ଷୀଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ସୂଚନା ଅନୁଯାୟୀ, ଚାନ୍ଦବାଲି ଥାନାରେ ଅଭିଯୁକ୍ତଙ୍କୁ ଜେରା ଚାଲିଛି।
ଅନ୍ୟପକ୍ଷେ, ହତ୍ୟା ପୂର୍ବରୁ ମାନସ ଶେଷ ଚିଠି ଲେଖିଥିବା ସୂଚନା ମିଳିଛି । ମାନସଙ୍କ ଚିଠି ପାଇଥିବା କହିଛନ୍ତି ଦୟାଲ ଆଶ୍ରମର କେୟାରଟେକର । ଦୟାଲ ଆଶ୍ରମରେ କେୟାରଟେକର ଥିବା ଜଣେ ମହିଳା ଏନେଇ ସୂଚନା ପ୍ରଦାନ କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ମାନସଙ୍କୁ ଅପହରଣ ପରେ ଦୟାଲ ଆଶ୍ରମରେ ରଖା ଯାଇଥିବା ରୁମ୍କୁ ଝାଡୁ କରୁଥିବା ସମୟରେ ସେ ଖଟତଳୁ ଏହି ଚିଠି ପାଇଥିବା କହିଛନ୍ତି । ୩ଟି ଚିଠି ପଲିଥିନରେ ଗୁଡ଼ା ହୋଇଥିଲା ଏବଂ ଏହି ଚିଠିରେ ମାନସ ଅନେକ କଥା ଲେଖିଥିବା ସେ ଜଣାଇଛନ୍ତି । ସେମାନେ ତାଙ୍କୁ ଉଠାଇ ଆଣି ପିଟିଥିବା ଚିଠିରେ ଲେଖିଥିଲେ ମାନସ । ଏହା ବ୍ୟତୀତ ତାଙ୍କ କ୍ୟାମେରା, ମୋବାଇଲ, ଛଡା଼ଇ ନେଇଥିବା ଚିଠିରେ ଲେଖାହୋଇଥିଲା। ‘ମୁଁ ଯଦି ମରିଯାଏ ମୋ ଶବ ଏ ପାପୀମାନଙ୍କୁ ନଦେଇ ଗାଁକୁ ପଠାଇ ଦେବାକୁ ସେ ତାଙ୍କ ଚିଠିରେ ଲେଖିଥିଲେ । ତେବେ ଚିଠି ଶେଷରେ ମାନସଙ୍କ ନାଁ ଏବଂ ଫୋନ ନମ୍ବର ଲେଖାଥିବା ସେ ଜଣାଇଛନ୍ତି ।
ସେହିଭଳି ହତ୍ୟା ମାମଲାରେ ମୁହଁ ଖୋଲିଛନ୍ତି ଶର୍ମିଷ୍ଠାଙ୍କ ମା।ମାନସ ସ୍ୱାଇଁ ହତ୍ୟା ମାମଲାରେ ଶର୍ମିଷ୍ଠାଙ୍କୁ ଫେରାର ହେବାରେ ସାହାଯ୍ୟ କରିଥିବା ଭାଇ ପରମେଶ୍ୱର ରାଉତଙ୍କ ଗିରଫଦାରୀକୁ ନେଇ ତାଙ୍କ ମା’ଙ୍କ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି ।ଶର୍ମିଷ୍ଠାଙ୍କ ମା କହିଛନ୍ତି, ଝିଅ କିଛି ଭୁଲ କରିଥିବା ପ୍ରମାଣ ମିଳିଲେ ତାକୁ ଦଣ୍ଡ ମିଳୁ । ନିରଞ୍ଜନ ସେଠୀ କଥାରେ ପୁଅ ପରମେଶ୍ୱର ଟଙ୍କା ଦେଇଥିବା ସେ କହିଛନ୍ତି । ଶର୍ମିଷ୍ଠା ପୁଅକୁ ନିଜେ ଟଙ୍କା ମାଗିନି ବରଂ ନିରଞ୍ଜନ ଫୋନ କରି ଭଉଣୀ ଅସୁବିଧାରେ ଥିବା କହି ଟଙ୍କା ପଠାଇବାକୁ କହିଥିଲେ । ଯାହା ଫଳରେ ପୁଅ ଟଙ୍କା ପଠାଇଛି, ସେ ନିର୍ଦ୍ଦୋଷ ତାକୁ ଛାଡ଼ି ଦିଅନ୍ତୁ ବୋଲି ତାଙ୍କ ମା କହିଛନ୍ତି ।
ସୂଚନା ଅନୁଯାୟୀ, ବୁଧବାର କ୍ରାଇମ୍ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ପୋଲିସ୍ ଡିଜି । ଏହି ମାମଲାରେ ଜଡ଼ିତ ସମସ୍ତ କାଗଜପତ୍ର କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା । ତଦନ୍ତ ପାଇଁ ଚାନ୍ଦବାଲି ଅଭିମୁଖେ କ୍ରାଇମ୍ବ୍ରାଞ୍ଚ ଟିମ୍ ବାହାରିଥିଲା । ସେହିପରି ଅନ୍ୟଏକ ଟିମ୍ ଶର୍ମିଷ୍ଠାଙ୍କୁ ଗିରଫ କରିବା ପାଇଁ ବାହାରିଥିବା ସୂଚନା ମିଳିଥିଲା । ଫେବୃଆରୀ ୭ ତାରିଖରେ ଚାନ୍ଦବାଲି ଅଂଚଳରୁ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ଅପହରଣ କରାଯାଇଥିଲା, ଏହା ପରେ ତାଙ୍କୁ ହତ୍ୟା କରାଯାଇଥିଲା । ସେପଟେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କୁ ପୋଲିସ ଗିରଫ କରିଛି । କିନ୍ତୁ ଏପର୍ଯ୍ୟନ୍ତ ହତ୍ୟା ଘଟଣାରେ ମାଷ୍ଟର ମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠା ଟେର ପାଇପାରୁନି ପୋଲିସ ।