ଯୁବକଙ୍କୁ ଆକ୍ରମଣ ଘଟଣାରେ ଜଣକୁ ଗିରଫ କଲା କ୍ୟାପିଟାଲ ଥାନା ପୁଲିସ

0

ଭୁବନେଶ୍ୱର : ଯୁବକଙ୍କୁ ଆକ୍ରମଣ ଘଟଣାରେ କ୍ୟାପିଟାଲ ଥାନା ପୁଲିସ ଜଣକୁ ଗିରଫ କରିଛି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ଭୁବନେଶ୍ବର ଜିଆରପି ବିଭାଗର ଏଏସଆଇ ଅଟନ୍ତି । ଏକ ମୋଟରସାଇକେଲ ଚୋରୀ ଅଭିଯୋଗର ତଦନ୍ତ ଚାଲି ଥିବା ସମୟରେ ଉକ୍ତ ମାମଲାରେ ନିମ୍ନୋକ୍ତ ଅଭିଯୁକ୍ତ ସମ୍ପୃକ୍ତ ଥିବା ଏବଂ ସେ ଆଇଜି ପାର୍କ ଅଞ୍ଚଳରେ ବୁଲାବୁଲି କରୁଥିବା ଜାଣିବା ପରେ ତାଙ୍କୁ କାବୁ କରିବା ଲାଗି ଅଭିଯୋଗକାରୀ ଏବଂ ତାଙ୍କ ଟିମ ଘଟଣା ସ୍ଥଳରେ ଚଢଉ କରିଥିଲେ । ଏହି ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କ ଉପରେ ହଠାତ ଏକ ଧାରୁଆ ଛୁରୀ ସହାୟତାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାଫଳରେ ଅଭିଯୋଗକାରୀ ଗୁରୁତ୍ତର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ ।

ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ କ୍ୟାପିଟାଲ ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରିଥିଲେ । ଏହି ମାମଲାର ତଦନ୍ତ ଚାଲି ଥିବା ସମୟରେ ଏକ ନିର୍ଭର ଯୋଗ୍ୟ ସୂତ୍ରରୁ ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଟିମ ସଦଳବଳେ ଆଇଜି ପାର୍କ ଅଞ୍ଚଳରେ ଅତର୍କିତ ଚଢଉ କରବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ତାଙ୍କ ହେପାଜତରୁ ୩ଗୋଟି ଚୋରା ମୋଟରସାଇକେଲ, ଗୋଟିଏ ଧାରୁଆ ଛୁରୀ ଏବଂ ଏକ ମାଷ୍ଟର-କି ଜବତ କରିଥିଲେ । ପଚରା ଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିବା ବେଳେ, ସେ ଅନେକ ଗୁଡିଏ ମୋଟରସାଇକେଲ ଚୋରୀରେ ସାମିଲ ଥିବା କଥା, ତଦନ୍ତ ବେଳେ ଜଣାପଡିଥିଲା । ତଦନ୍ତ ଶେଷରେ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।