ବ୍ୟୁରୋ : କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଖୋଲୁଛି ଗୋଟେ ପରେ ଗୋଟେ ନୂଆ ଫର୍ଦ । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟର ପଲିଗ୍ରାଫ ଟେଷ୍ଟ କରାଯାଇଥିବାବେଳେ ଆରଜି କର ହସ୍ପିଟାଲ ଓ କଲେଜର ପୂର୍ବତ୍ତନ ପ୍ରିନସିପାଲଙ୍କ ଘରେ ଚଢ଼ାଉ ହୋଇଛି । ଏସବୁ ଭିତରେ ମହିଳାଙ୍କ ବିରୋଧରେ ଅପରାଧକୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଛନ୍ତି ।
ସିବିଆଇର ଏକ ଟିମ ଉପସ୍ଥିତିରେ ସଞ୍ଜୟର ପଲିଗ୍ରାଫ ଟେଷ୍ଟ ଅର୍ଥାତ ମିଛଧରା ପରୀକ୍ଷା କରାଯାଇଛି । ଅଧିକାରୀମାନେ ଏହି ମୁଖ୍ୟ ଅଭିଯୁକ୍ତକୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଛନ୍ତି । ଏହି ପରୀକ୍ଷା କୋଲ୍କାତାର ପ୍ରେସିଡେନ୍ସି ଜେଲ କୋଠରୀରେ ହୋଇଥିବା ଜଣାପଡିଛି । ଶନିବାର ଆରଜି କର କଲେଜ ପୂର୍ବତ୍ତନ ଅଧ୍ୟକ୍ଷ ସନ୍ଦୀପ ଘୋଷ, ୪ ଡାକ୍ତର ଓ ଜଣେ ଭଲ୍ୟୁଣ୍ଟିୟରଙ୍କ ପଲିଗ୍ରାଫ କରାଯାଇଥିଲେ ବି ସଞ୍ଜୟର ପରୀକ୍ଷା କରାଯାଇପାରିନଥିଲା ।
ଅନ୍ୟପଟେ ଆରଜି କର ହସ୍ପିଟାଲ ଓ କଲେଜର ପୂର୍ବତ୍ତନ ପ୍ରିନସିପାଲ ସନ୍ଦୀପ ଘୋଷଙ୍କ ପାଖରୁ ସତ ପାଇବାକୁ ତଦନ୍ତକୁ ତ୍ୱରାନ୍ୱିତ କରିଛି ସିବିଆଇ । ଏହା ବ୍ୟତୀତ ଆଣ୍ଟି କରପସନ ବ୍ୟୁରୋ ମଧ୍ୟ ସନ୍ଦୀପର ଘର ଓ ଅନ୍ୟାନ୍ୟ ଠିକଣାରେ ଚଢ଼ାଉ କରିଛି ।