ରାୟପୁର: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପେଶ ବଘେଲଙ୍କ ବାସଭବନରେ ବୁଧବାର ଚଢାଉ କରିଛି ସିବିଆଇ। କୁହାଯାଇଛି ଯେ ସିବିଆଇ ଟିମ୍ ତଦନ୍ତ ପାଇଁ ରାୟପୁର ଏବଂ ଭିଲାଇରେ ପହଞ୍ଚିଛି। ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଟିମ୍ ଭୂପେଶ ବଘେଲଙ୍କ ବାସଭବନରେ ଚଢାଉ କରିଥିଲା। ୬, ୦୦୦ କୋଟି ଟଙ୍କାର ମହାଦେବ ବେଟିଂ ଆପ୍ ଦୁର୍ନୀତି ମାମଲାରେ ଏହି ଚଢାଉ କରାଯାଉଥିବା ଜଣାପଡ଼ିଛି।
କୁହାଯାଉଛି କି ଏହି ରେଡ଼ ବହୁ ଚର୍ଚ୍ଚିତ ମହାଦେବ ବେଟିଂ ଆପ୍ ମାମଲାରେ ହୋଇଛି । ଏହି ଆପ୍ ଜରିଆରେ ଅନଲାଇନରେ ବେଟିଂ ହୋଇଥାଏ । ଛତିଶଗଡ଼ର ଚର୍ଚ୍ଚିତ ଏହି ବେଟିଂ ଆପ୍ ମାମଲାରେ ଗତ ଦେଢ ବର୍ଷ ହେଲା ଇଡିର ଲାଗାତାର ରେଡ୍ ଓ ଜେରା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୧୨୦୦ କୋଟିରୁ ଅଧିକ ସମ୍ପତ୍ତି ଖୁଲାସା ହୋଇସାରିଛି । ଏହି ବେଟିଂ ଆପରେ ଭୂପେଶ ବାଘେଲ ୫୦୮ କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା । ଭୂପେଶ ବଘେଲଙ୍କ ବାସଭବନ ସମେତ ତାଙ୍କର ଜଣେ ଘନିଷ୍ଠଙ୍କ ଘରେ ମଧ୍ୟ ରେଡ୍ ହୋଇଥିବା ସୂଚନା ମିଳିଛି ।
ଇଡି ଭୂପେଶ ବାଘେଲଙ୍କ ବାସଭବନରୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିଥିବା ଦାବି କରିଥିଲା। ଏହାକୁ ଗଣନା କରିବା ପାଇଁ, ଇଡି ଅଧିକାରୀମାନେ ଦୁଇଟି ଟଙ୍କା ଗଣନା ମେସିନ୍ ଅର୍ଡର କରିଥିଲେ। ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କ ସହ ଜଡିତ ଏକ ଘରରୁ ଇଡି କିଛି ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଏବଂ କାଗଜପତ୍ର ମଧ୍ୟ ଜବତ କରିଛି। ଏହି ମାମଲା ମଦ ଦୁର୍ନୀତି ସହିତ ଜଡିତ ଥିଲା।