ଚର୍ଚ୍ଚିତ ଆଇଏଏସ ଅଧିକାରୀ ବି. ଚନ୍ଦ୍ରକଳାଙ୍କ ପଦବୀରେ ଲାଗିଲା କଳଙ୍କ

0

(ରିପୋର୍ଟସ ଟୁଡ଼େ) ଉତ୍ତରପ୍ରଦେଶରେ ଜଣେ ମହିଳା ଆଇଏଏସ ଅଫିସର ରହିଛନ୍ତି ଯିଏ ତାଙ୍କର ସେଲ୍ଫି ଏବଂ ସୋସିଆଲ ମିଡ଼ିଆ ପୋଷ୍ଟ ଆଦିକୁ ନେଇ ବେଶ ଚର୍ଚ୍ଚିତ ରହିଥାନ୍ତି। ନେତା ଏବଂ ବିଭିନ୍ନ ଲୋକଙ୍କୁ ଧମକାଇ, ତାଙ୍କୁ ସଚୋଟ ରାସ୍ତାକୁ ଆଣିବା ନେଇ ତାଙ୍କର ଭିଡ଼ିଓ ବେଶ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ଆପଣମାନ ନିଶ୍ଚିତ ଭାବେ ତାଙ୍କ ନା ଜାଣିସାରିଥିବେ। ଆଜ୍ଞା ହଁ, ସେ ହେଉଛନ୍ତି ଆଇଏଏସ ବି ଚନ୍ଦ୍ରକଳା। ତେବେ ଚନ୍ଦ୍ରକାଳା ଏବେ ପୁଣିଥରେ ଚର୍ଚ୍ଚାରେ। ସେ ଏବେ କୌଣସି ଭାଇରାଲ ଭିଡ଼ିଓ ନୁହଁ ବରଂ ତାଙ୍କ ଘରେ ପଡ଼ିଥିବା ସିବିଆଇ ଚଢ଼ାଉକୁ ନେଇ ମିଡ଼ିଆରେ ଚର୍ଚ୍ଚାରେ ରହିଛନ୍ତି। ଲକ୍ଷ୍ମୌର ଯୋଜନା ଭବନ ନିକଟସ୍ଥ ସଫାୟର ହୋମ୍ ଏଣ୍ଡ ବିଲା ଆପାର୍ଟମେଣ୍ଟରେ ତାଙ୍କର ଘର ରହିଛି।
ଚର୍ଚ୍ଚିତ ଆଇଏଏସ ଅଧିକାରୀ ବି. ଚନ୍ଦ୍ରକଳାଙ୍କ କ୍ୟାରିୟରରେ ଲାଗିଛି କଳଙ୍କ ।ବେଆଇନ ବାଲି ଖନନକୁ ନେଇ ଚାଲିଥିବା ତଦନ୍ତରେ ସିବିଆଇ ଶନିବାର ଉତ୍ତରପ୍ରଦେଶର ୧୨ଟି ସ୍ଥାନରେ ଚଢାଉ କରିଥିଲା । ଏହି ମାମଲାରେ ଆଇଏଏସ ଅଧିକାରୀ ବି. ଚନ୍ଦ୍ରକଳାଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ବାସଭବନ ଉପରେ ମଧ୍ୟ ଚଢାଉ କରାଯାଇଥିଲା । ତେବେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଆଦେଶକ୍ରମେ ୨୦୧୬ରୁ ବାଲି ଖନନ ଦୁର୍ନୀତିର ତଦନ୍ତ ଚାଲିଛି । ଅଧିକାଂଶ ସ୍ଥାନରେ କଟକଣା ଲାଗୁ ସତ୍ତେ୍ୱ ଦୁର୍ନୀତିଗ୍ରସ୍ତ ନେତା ଓ ଅଧିକାରୀମାନେ ହାତ ମିଳାଇ ବାଲି ଖନନ ପାଇଁ ଠିକା ପ୍ରଦାନ କରିଥିବା ଜଣାପଡିଥିଲା ।୨୦୧୭ରେ ଚନ୍ଦ୍ରକଳା ତାଙ୍କ ସମ୍ପତ୍ତି ତାଲିକା ପ୍ରଦାନ କରିବାରେ ମଧ୍ୟ ବିଫଳ ହୋଇଥିଲେ । ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ୨୦୧୪ ଆର୍ଥିକ ବର୍ଷ ପାଇଁ ୧୫ ଜାନୁୟାରୀ ୨୦୧୫ ସୁଦ୍ଧା ନିଜ ସମ୍ପତ୍ତି ତାଲିକା ପ୍ରଦାନ କରିବାକୁ ନିୟମ କରାଯାଇଥିଲା । ଆଉ ଏହାରି ମଧ୍ୟରେ ୪ ବର୍ଷ ବିତିଯାଇଥିଲେ ସୁଦ୍ଧା କିଛି ଅଧିକାରୀ ସେମାନଙ୍କ ସମ୍ପତ୍ତି ତାଲିକା ପ୍ରଦାନ କରିବାରେ ବିଫଳ ହୋଇଥିଲେ । ଆଉ ସେମାନଙ୍କ ମଧ୍ୟରେ ଚନ୍ଦ୍ରକଳାଙ୍କ ନାଁ ମଧ୍ୟ ସାମିଲ ଥିଲା ।
୨୦୧୧-୧୨ ଆର୍ଥିକ ବର୍ଷରେ ଚନ୍ଦ୍ରକଳା ତାଙ୍କ ସମ୍ପତ୍ତି କେବଳ ୧୦ ଲକ୍ଷ ଟଙ୍କା ଥିଲା ବୋଲି ଦର୍ଶାଇଥିଲେ । ଆଉ ୨୦୧୩-୧୪ ଆର୍ଥିକ ବର୍ଷରେ ତାହା ବୃଦ୍ଧି ପାଇ ୧ କୋଟିରେ ପହଞ୍ଚିଥିଲା । ଅର୍ଥାତ ମାତ୍ର ଗୋଟିଏ ବର୍ଷରେ ତାଙ୍କ ସମ୍ପତ୍ତି ୯୦ ପ୍ରତିଶତ ବୃଦ୍ଧି ପାଇଥିଲା । ତେବେ ବେଆଇନ ବାଲି ଖନନକୁ ନେଇ ଚାଲିଥିବା ତଦନ୍ତରେ ସିବିଆଇ ଏହି ଆଇଏଏସ ଅଫିସରଙ୍କ ଘରେ ଗତକାଲି ରେଡ୍ କରିଥିଲା । ଏହି ମାମଲାରେ ସିବିଆଇ ରାଡାରରେ ଥିବା ଅଖିଲେଶଙ୍କୁ ମଧ୍ୟ ଜେରା କରାଯିବ ବୋଲି ଜଣାପଡିଛି । ସିବିଆଇ ତଥ୍ୟ ମୁତାବକ ୨୦୧୧ ପରେ ଉତ୍ତରପ୍ରଦେଶରେ ସମସ୍ତ ଖନନ ମନ୍ତ୍ରୀଙ୍କୁ ଜେରା କରାଯିବ । ୨୦୧୨-୧୩ରେ ଏହି ମନ୍ତ୍ରାଳୟ ଅଖିଲେଶଙ୍କ ପାଖରେ ଥିଲା ।