କେନ୍ଦ୍ର ଓ ରାଜ୍ୟ ଆଣିଲେ ନୂଆ କୋଭିଡ୍‌ ଆଡଭାଇଜରି; ରାଜ୍ୟରେ ବଢ଼ାଯିବ ଟେଷ୍ଟିଂ ଓ ସର୍ଭେଲାନ୍ସ

0

ଭୁବନେଶ୍ବର: ବିଦେଶରେ କରୋନା ଓମିକ୍ରନ୍‌ର ନୂଆ ଭାରିଆଣ୍ଟ ଖୁବ୍‌ ଶୀଘ୍ର ବ୍ୟାପୁଥିବା ‌ବେଳ ରାଜ୍ୟ ସରକାର ଏ ସଂପର୍କରେ ଅବଗତ ହୋଇ ଜନସାଧାରଣଙ୍କ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବାକୁ ସରକାର ଆଡଭାଇଜରି ଜାରି କରିଛନ୍ତି। କିଛି ଲକ୍ଷଣ ଦେଖିଲେ ନିଜକୁ ନିଜେ ଆଇସୋଲେସନ ପାଇଁ ପରାମର୍ଶ ଦେଇଛନ୍ତି। ସର୍ବସାଧାରଣ ସ୍ଥାନରେ ଛେପ ନପକାଇବାକୁ ମଧ୍ୟ ପରାମର୍ଶ ଜାରି କରାଯାଇଛି।ପ୍ରସ୍ତୁତ ରହିବାକୁ ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି।

କୋଭିଡ଼ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ସମୀକ୍ଷା ବୈଠକରେ ଚାଲିଥିବା ଟେଷ୍ଟିଂ ଚାଲୁ ରଖିବାକୁ ନିଷ୍ପତ୍ତି ହୋଇଛି। ଏବେ ରାଜ୍ୟରେ ଦିନକୁ ୧୫ କେସ୍, ହସ୍ପିଟାଲରେ ୫୪ ରୋଗୀ ରହିଛନ୍ତି। ଏବେ ୩ ପ୍ରମୁଖ ମେଡିକାଲ କଲେଜରେ ୨୦ ଲେଖାଏଁ ବେଡ୍ ପ୍ରସ୍ତୁତ ରହିଛି। ପରିସ୍ଥିତି ଉପରେ ନଜର ରଖି ପରେ ବେଡ୍ ସଂଖ୍ୟା ଆଉ ୨୦ ବୃଦ୍ଧି ହେବ। ସବୁ ଜିଲ୍ଲା ହସ୍ପିଟାଲ ସହ ପ୍ରମୁଖ ହସ୍ପିଟାଲରେ ୨୭ରେ ହେବ ମକ୍ ଡ୍ରିଲ୍। ରୋଗୀ ସଂଖ୍ୟା ବଢ଼ିଲେ କିଭଳି ଚିକିତ୍ସା ବ୍ୟବସ୍ଥା ହେବ, ମକଡ୍ରିଲ୍ କରାଯିବ।

ହକି ବିଶ୍ୱକପ୍ ପାଇଁ ୩ଟି ସହରରେ ଅଧିକ ଟେଷ୍ଟିଂ ବ୍ୟବସ୍ଥା ରହିବ। ଭୁବନେଶ୍ୱର, ରାଉରକେଲା ଏବଂ କଟକ ପାଇଁ ଅଧିକ ୩ଟି ଗାଡ଼ି ରହିବ। ୩ ସହର ପାଇଁ ଆବଶ୍ୟକ ହେଲେ ଅତିରିକ୍ତ ଷ୍ଟାଫ୍ ରଖିବାକୁ ପରାମର୍ଶ ଦିଆଯାଇଛି। ୩ ସହରର ସମସ୍ତ UPHC ଓ UCHCରେ ଟେଷ୍ଟିଂ ବ୍ୟବସ୍ଥା ରହିବ। UPHC ଓ UCHCରେ ଆଣ୍ଟିଜେନ୍ ଓ RT-PCR ଟେଷ୍ଟ ବ୍ୟବସ୍ଥା ରହିବ। ଏ ସମସ୍ତ ହସ୍ପିଟାଲ ସାମ୍ନାରେ କୋଭିଡ ଟେଷ୍ଟିଂ ଉପଲବ୍ଧ ଲେଖା ଲଗାଯିବ।