ନୂଆଦିଲ୍ଲୀ : ଚନ୍ଦ୍ରରେ କ’ଣ କରୁଛି ରୋଭର ପ୍ରଜ୍ଞାନ ? କେମିତି କାର୍ଯ୍ୟ କରୁଛି ରୋଭର ପ୍ରଜ୍ଞାନ । ଗତକାଲି ଚନ୍ଦ୍ରର ଦକ୍ଷିଣମେରୁରେ ଲ୍ୟାଣ୍ଡର ବିକ୍ରମର ସଫଳ ଅବତରଣ ପରେ ଛଅ ଚକବିଶିଷ୍ଟ ‘ପ୍ରଜ୍ଞାନ’ ଏଥିରୁ ବାହାରି ଚନ୍ଦ୍ରରେ ଗଡ଼ିବା ସହିତ ତଥ୍ୟ ସଂଗ୍ରହ ଆରମ୍ଭ କରିଛି।
ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଲ୍ୟାଣ୍ଡ କରିବାର ପ୍ରାୟ ସାଢେ ୪ ଘଣ୍ଟା ପରେ ଖୋଲିଥିଲା ଲ୍ୟାଣ୍ଡର ବିକ୍ରମର ର୍ୟାମ୍ପ । ଆଉ ଧୀରେ ଧୀରେ ତଳକୁ ଓହ୍ଲାଇଥିଲା ରୋଭର ପ୍ରଜ୍ଞାନ । ସେହି ସମୟର ଫଟୋ ଲ୍ୟାଣ୍ଡର ବିକ୍ରମ ପଠାଇଛି । ଏଥିରୁ ଜଣାପଡୁଛି କେମିତି ପ୍ରଜ୍ଞାନ ପାଦ ଥାପିଛି ଚନ୍ଦ୍ରର ଦକ୍ଷିଣ ମେରୁରେ । ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି, ପ୍ରଜ୍ଞାନଠାରୁ ଅନେକ କିଛି ଆଶା ରହିଛି । କାରଣ ଚନ୍ଦ୍ରର ଦକ୍ଷିଣମେରୁ ଏଯାଏଁ ଆବିଷ୍କାର ହୋଇନାହିଁ । ସେଠାରେ ୱାଟର ଆଇସ୍ ବା ଜଳବରଫ କେତେ ପରିମାଣରେ ରହିଛି, ସେ ସଂପର୍କିତ ତଥ୍ୟ ଦେବ ପ୍ରଜ୍ଞାନ । ଏଥିସହ ଚନ୍ଦ୍ରପୃଷ୍ଠରେ ବହୁ ଉପଯୋଗୀ ଖଣିଜ ପଦାର୍ଥ ମଧ୍ୟ ଥାଇପାରେ । ଏ ସଂପର୍କିତ ତଥ୍ୟ ମଧ୍ୟ ପ୍ରଜ୍ଞାନ ଜରିଆରେ ହାସଲ କରିହେବ । ଯାହା ସଂପର୍କରେ ଅଧିକ ଗବେଷଣା କରିହେବ ।
ରୋଭର ପ୍ରଜ୍ଞାନରେ ରହିଛି ୨ଟି ପେଲୋଡ୍ । ପ୍ରଥମ ପେ ଲୋଡ୍ -APXS ବା ଆଲଫା ପାର୍ଟିକଲ୍ ଏକ୍ସରେ ସ୍ପେକ୍ଟ୍ରୋମିଟର। ଏହା ଚନ୍ଦ୍ରପୃଷ୍ଠର ଖଣିଜ ପଦାର୍ଥ ସଂପର୍କରେ ତଥ୍ୟ ଦେବ। ରୋଭରର ଦ୍ବିତୀୟ ପେ-ଲୋଡ୍- LIBS ବା ଲେଜର ଇଣ୍ଡ୍ୟୁସ୍ଡ ବ୍ରେକ ଡାଉନ୍ ସ୍ପେକଟ୍ରୋସ୍କୋପ୍ । ଏହା ଚନ୍ଦ୍ରଯାନ 3ର ଲ୍ୟାଣ୍ଡିଂ ସ୍ଥଳରେ, ଚନ୍ଦ୍ରପୃଷ୍ଠର ମାଗନେସିୟମ, ଆଲମୁନିୟମ ଏବଂ ପଥର ସଂପର୍କରେ ବିଶ୍ଳେଷଣ କରିବ। ଏହି ତଥ୍ୟକୁ ଲ୍ୟାଣ୍ଡର ବିକ୍ରମ ଜରିଆରେ ଇସ୍ରୋକୁ ପଠାଇବ ।
ଉଭୟ ଲ୍ୟାଣ୍ଡର ବିକ୍ରମ ଓ ପ୍ରଜ୍ଞାନର ଆୟୁଷ ରହିଛି ୧୪ ଦିନ । କାରଣ ଏହି ଅଞ୍ଚଳରେ ୧୪ ଦିନ ଯାଏ ସୂର୍ଯ୍ୟାଲୋକ ପଡ଼ିଥାଏ । ୧୪ ଦନ ପରେ ଘନ ଅନ୍ଧକାର ଛାଇଯିବ । ବିନା ସୂର୍ଯ୍ୟ କିରଣରେ ସୋଲାର ପ୍ୟାନେଲ ଚାର୍ଜ ହୋଇପାରିବ ନାହିଁ । ଚନ୍ଦ୍ରର ଦକ୍ଷିଣ ମେରୁରେ ରାତିର ତାପମାତ୍ରା ମାଇନସ୍ ୨୦୦ରୁ ୨୫୦ ଡିଗ୍ରୀ ପର୍ଯ୍ୟନ୍ତ ଖସିଯାଏ । ଏହା ରୋଭରର ସେନ୍ସରକୁ ଆକାମୀ ଦେବାର ଆଶଙ୍କା ରହିଛି । ତଥାପି ଆଶା ଛାଡ଼ି ନାହାନ୍ତି ଇସ୍ରୋର ବୈଜ୍ଞାନିକମାନେ । ୧୪ ଦିନ ପାଇଁ ଏହାକୁ ପ୍ରସ୍ତୁତ କରାଯାଇଥିଲେ ଏହା ଆହୁରି ଅଧିକ ଦିନ କାର୍ଯ୍ୟକ୍ଷମ ରହିବ ବୋଲି ଆଶା କରାଯାଉଛି । 2019 ଜାନୁଆରୀରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିଥିବା ଚୀନ୍ର ରୋଭର ଏବେ ବି ସକ୍ରିୟ ରହିଛି । ଯାହାର ଆୟୁ ଥିଲା ମାତ୍ର ୩ ମାସ ।