ଟେଷ୍ଟ କ୍ରିକେଟରେ ବଡ଼ ପରିବର୍ତ୍ତନ

0

(ରିପୋର୍ଟସ ଟୁଡ଼େ)ନୂଆଦିଲ୍ଲୀ: ଟେଷ୍ଚ କ୍ରିକେଟରେ ପରିବର୍ତ୍ତନ କରାଯିବାକୁ ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ନୂଆ ପରିବର୍ତ୍ତନରେ ଟସ୍ଠାରୁ ଆରମ୍ଭ କରି ଚୌକା, ଛକା, ନୋ ଓ ହ୍ୱାଇଟ୍ ବଲ ଏବଂ ଆଉଟ୍ କରିବାର ପ୍ରକ୍ରିୟା ମଧ୍ୟ ସାମିଲ ଅଛି । ଟେଷ୍ଟ କ୍ରିକେଟକୁ ରୋମାଞ୍ଚକର କରିବା ପାଇଁ ଅନେକ ଦିନରୁ ଟେଷ୍ଟ କ୍ରିକେଟର ନିୟମରେ ପରିବର୍ତ୍ତନ କରିବା ପାଇଁ ଦାବି ହୋଇଆସିଛି । ଆଇସିସିର ଟେଷ୍ଟ ଚାମ୍ପିୟନସିପ୍ ଆରମ୍ଭରୁ ଏହି ନୂଆ ନିୟମଗୁଡିକ ଲାଗୁ ହେବ ବୋଲି ସୂଚନା ମିଳିଛି।

ନୂଆ ନିୟମ ଅନୁଯାୟୀ, ଟେଷ୍ଟ କିଟ ଉପରେ ଖେଳାଳିଙ୍କ ନମ୍ୱର ସହିତ ସେମାନଙ୍କର ଇନ୍ଷ୍ଟାଗ୍ରାମ ହୈଡେଲ ମଧ୍ୟ ରହିବ । ଏହା ସହିତ ଏବେ ଗୋଟିଏ ବଲରେ ଦୁଇଜଣ ଖେଳାଳି ଆଉଟ୍ ହୋଇପାରିବେ । ଯଦି ଜଣେ ଖେଳାଳି କ୍ୟାଚ ଆଉଟ୍ ହେଇଛି ଅନ୍ୟ ଖେଳାଳିଙ୍କୁ ରନଆଉଟ୍ କରାଯାଇପାରିବ ।
କେବଳ ସେତିକି ନୁହେଁ, ଡେ ନାଇଟ୍ ଟେଷ୍ଟରେ ଡବଲ ରନ ମିଳିବ । ମାନେ ଚୌକା ମାରିଲେ ୮ ରନ ଓ ଛକା ମାରିଲେ ୧୨ ରନ ଦିଆଯିବ ।

ଏହା ସହିତ ଡଟ୍ ବଲ ଓ ନୋ ବଲ ବଦଳରେ ଦୁଇଟି ନୂଆ ଶବ୍ଦ ଫଲ୍ଟ ଓ ଏସେଜ୍ ବ୍ୟବହାର କରାଯିବ ।

ଟେଷ୍ଟ ମ୍ୟାଚରେ ଏବେ ଟସ୍ ମଧ୍ୟ ହେବ ନାହିଁ । ଟସ ବଦଳରେ ଟ୍ୱିଟର ପୋଲ କରାଯିବ । ପୋଲ ଜରିଆରେ ଲୋକମାନେ ନିଷ୍ପତ୍ତି ନେବେ କି କେଉଁ ଦଳ ପ୍ରଥମେ ବ୍ୟାଟିଂ କରିବ ଏବଂ କେଉଁ ଦଳ ବୋଲିଂ କରିବ ।
ଯଦି ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ଥିବ ତେବେ ଖେଳାଳିମାନଙ୍କୁ ସର୍ଟ୍ସ ପିନ୍ଧିବାକୁ ଅନୁମତି ଦିଆଯିବ । କେବଳ ସେତିକି ନୁହେଁ କମେଣ୍ଟେଟର୍ସ ପଡିଆ ମଧ୍ୟରେ ରହି ଫିଲ୍ଡର୍ସ ଘେରା ବାହାରେ ରହି ମ୍ୟାଚ ବିଷୟରେ ଧାରା ବିବରଣୀ ଶୁଣାଇ ପାରିବେ ।

ଆଇସିସିର ଏହି ନୂଆ ନିୟମଗୁଡିକୁ ଶୁଣି ଆପଣମାନେ ବ୍ୟସ୍ତ ହୋଇସାରିବେଣି । ଛାଡନ୍ତୁ ଆପଣଙ୍କ ଚିନ୍ତାକୁ ଦୂର କରିଦେଉଛି । ଏହି ନିୟମଗୁଡିକ ପ୍ରକୃତରେ ଲାଗୁ ହେବ ନାହିଁ , ଏହା କେବଳ ଆଇସିସି ପକ୍ଷରୁ ଲୋକମାନଙ୍କୁ ଏପ୍ରିଲ ଫୁଲ କରିବା ପାଇଁ ଘୋଷଣା କରିଛି । ଦେଖନ୍ତୁ ଆପଣ ବି ଫୁଲ୍ ହୋଇଗଲେ ।