ପାଖେଇ ଆସୁଛି ରଥଯାତ୍ରା, ଆସନ୍ତା ଶୁକ୍ରବାର ପବିତ୍ର ଭଉଁରୀ ତିଥି

0

ପୁରୀ: ପାଖେଇ ଆସୁଛି ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ରଥଖଳା। ଅକ୍ଷୟ ତୃତୀୟାରୁ ବିଧି ଅନୁସାରେ ଚାଲିଛି ରଥ ନିର୍ମାଣ । ରଥ ନିର୍ମାଣ କାର୍ୟ୍ୟ ଆଜି ପନ୍ଦର ଦିନରେ ପହଞ୍ଚିଛି ।  ଆସନ୍ତା ଶୁକ୍ରବାର ପବିତ୍ର ଭଉଁରୀ ତିଥି। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ରଥଖଳାରେ ୬ଟି ଚକ ସହ ତିନୋଟି ଅଖ ସଂଯୋଗ ନୀତି ଅନୁଷ୍ଠିତ ହେବ। ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶେଷ ହୋଇଛି ଅଖ ଚକ ନିର୍ମାଣ ।

ତିନିରଥର ୫ଟି ଲେଖାଁଏ ମୋଟ ୧୫ଗୋଟି ଚକର ନିର୍ମାଣ ଶେଷ ହେବା ସହ ତିନିରଥର ଗୋଟିଏ ଗୋଟିଏ ଅଖର ଅନୁକୂଳ ପୂଜା ହୋଇଚି। ତିନିରଥର ଆଉ ଗୋଟିଏ ଗୋଟିଏ ଚକ ନିର୍ମାଣ ହୋଇ ମୋଟ ଆଜି ସୁଦ୍ଧା ୧୮ ଗୋଟି ଚକର  ନିର୍ମାଣ ଶେଷ ହୋଇଛି।ତିନିରଥର ଗୋଟିଏ ଗୋଟିଏ ଅଖର ଦୁଇ ମୁହଁର ଗୋଳେଇ କାର୍ୟ୍ୟ ଶେଷ ହୋଇଛି।

ତିନିରଥର ୭ମ ଏବଂ ୮ମ  ଚକ ନିର୍ମାଣ ପାଇଁ ତୁମ୍ବ ଅରରେ ପଇ ସଂଯୋଗ ହୋଇ ପଇ ପଇ ର ସଂଯୋଗ ସ୍ଥଳ କଳଶା କାର୍ୟ୍ୟ ଜାରୀ ରହିଛି। ,ତିନିରଥର ୯ମ ଚକ ର ସିଙ୍ଗଡ଼ା ବାଡ଼ିଆ ପୂର୍ବରୁ ତୂମ୍ବରେ ଅର ସଂଯୋଗ କାର୍ୟ୍ୟ ଚାଲୁଅଛି।  ତିନିରଥର ଜୋକା ନିର୍ମାଣ ପାଇଁ ତିନିରଥ ଚାଳିକୁ ରଥ ଆମୀନ ପ୍ରଥମ ଦଫାରେ ୬ଟି ଲେଖାଁଏ ୧୨ ଫୁଟୁଆ ଧଉରା କାଠ ଯୋଗାଇ ଦେଇଥିଲେ।,ସେଗୁଡିକର ଚଉପଟ କାର୍ୟ୍ୟ ତିନିରଥ ମହାରଣା ମାନେ ଜାରୀ ରଖିଛନ୍ତି ।ତିନିରଥର ରୂପକାର ସେବକ ମାନେ ଗୁଜରେ ରୂପ ଖୋଦେଇ ଜାରୀ ରଖିଛନ୍ତି । ଦୋଳବେଦୀ କମାର ଶାଳରେ କମାର ସେବକ ମାନେ ପନ୍ଦାରି ଏବଂ ବଳା ନିର୍ମାଣ ଜାରୀ ରଖିଛନ୍ତି।

ଶୁକ୍ରବାର ପବିତ୍ର ଭଉଁରୀ ଅବସରରେ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଶେଷ ହେବ। ସେହିଦିନ ରଥ ନିର୍ମାଣର ପ୍ରମୁଖ କାର୍ୟ୍ୟ ଚକ ଅଖ ଡେରା ନୀତି ସମ୍ପନ୍ନ ହେବ। ଏଣୁ ଏହି ସବୁ କାର୍ୟ୍ୟକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି।