କ୍ରିକେଟର ପନ୍ତଙ୍କ ଦୁର୍ଘଟଣାକୁ ନେଇ ଆଶୁ ଆରୋଗ୍ୟ କାମନାକଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର : ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଭାରତୀୟ କ୍ରିକେଟ୍ ଖେଳାଳି ଋଷଭ ପନ୍ତ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜର ଟୁଇଟରରେ ଲେଖିଛନ୍ତି, ଉତ୍ତରାଖଣ୍ଡରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ କ୍ରିକେଟର ରିଷଭ ପନ୍ତଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ବିଷୟକୁ ନେଇ ଗଭୀର ଚିନ୍ତିତ। ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି । ଆଜି ଦିଲ୍ଲୀରୁ ଉତ୍ତରାଖଣ୍ଡକୁ ଆସୁଥିବା ବେଳେ ସଡ଼କ ଡିଭାଇଡର୍ରେ ଧକ୍କାଖାଇ କାର୍ରେ ନିଆଁ ଲାଗିଯିବାରୁ ଭାରତୀୟ କ୍ରିକେଟ୍ ଖେଳାଳି ଋଷଭ ପନ୍ତ ଆହତ ହୋଇଥିଲେ। ଡିଭାଇଡରରେ ପିଟି ହୋଇ କାର୍ ସମ୍ପୂର୍ଣ୍ଣ ଜଳିଯାଇଛି। ଗୁରୁତର ଅବସ୍ଥାରେ ପନ୍ତଙ୍କୁ ପ୍ରଥମେ ରୁର୍କୀର ସକ୍ଷମ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।

ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ଡେରାଡୁନ୍ର ମାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ, ପନ୍ତ୍ ତାଙ୍କ ମର୍ସିଡିଜ୍ କାର୍ ଚଳାଇ ଆସୁଥିବା ବେଳେ ଉତ୍ତରାଖଣ୍ଡର ରୂଡ଼କୀ ଅନ୍ତର୍ଗତ ନର୍ସାନ୍ ସୀମାନ୍ତ ନିକଟ ହମ୍ମାଦ୍ପୁର ଝାଲରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଡାକ୍ତରମାନଙ୍କ କହିବା ଅନୁସାରେ, ପନ୍ତଙ୍କ କପାଳ ଓ ଗୋଡ଼ରେ ଆଘାତ ଲାଗିଛି। ସୂଚନା ପାଇବା ପରେ ଦେହାତ୍ର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ସ୍ବପ୍ନା କିଶୋର ସିଂହ ଘଟଣାସ୍ଥଳରେ ପହଞ୍ଚିଥିଲେ। ‘ସକ୍ଷମ ହସ୍ପିଟାଲ୍’ର ଅଧ୍ୟକ୍ଷ ଡାକ୍ତର ସୁଶୀଳ ନାଗର କହିଛନ୍ତି ଯେ, ସମ୍ପ୍ରତି ଋଷଭ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।ତାଙ୍କୁ ରୂଡ୍କୀରୁ ଦିଲ୍ଲୀକୁ ରେଫର୍ କରାଯାଇଛି ।