ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇ ସେଠାରେ ଆନନ୍ଦପୁର ମହାବିଦ୍ୟାଳୟର ୬୧ ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ଆନନ୍ଦପୁର ଉପଖଣ୍ଡ ପାଇଁ ପ୍ରାୟ ୪୨ କୋଟି ଟଙ୍କାର ୧୬ ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିବା ବେଳେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପ୍ରାୟ ୧୧୮ କୋଟି ଟଙ୍କା ବ୍ୟୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।
ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆନନ୍ଦପୁର ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ, ମଲ୍ଟି ପର୍ପୋଜ ହଲ ନିର୍ମାଣ, ସେମିନାର ହଲ ନିର୍ମାଣ, ଖେଳପଡିଆର ଉନ୍ନତିକରଣ ନିମନ୍ତେ ୭ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।ଏହାକୁ ସ୍ୱାୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପାଇଁ ସମସ୍ତ କାର୍ଯ୍ୟ ସମ୍ପାଦନ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିବା ବେଳେ ଆନନ୍ଦପୁର ଠାରେ ଷ୍ଟାଡିଅମର ପୂର୍ଣ୍ଣାଙ୍ଗ କଳେବର ପାଇଁ ୨୦ କୋଟି ଟଙ୍କାର ଆର୍ଥିକ ସହାୟକ ଘୋଷଣା କରିଛନ୍ତି। ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆନନ୍ଦପୁର ମହାବିଦ୍ୟାଳୟର ଶୈକ୍ଷିକ ପରିବେଶ ଅନନ୍ୟ। ପ୍ରତିବର୍ଷ ଏହି ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପରୀକ୍ଷାଗୁଡ଼ିକରେ ବିଭିନ୍ନ ବିଷୟରେ ପ୍ରତିଭାବାନ ଛାତ୍ରଛାତ୍ରୀମାନେ ଶୀର୍ଷତମ ସ୍ଥାନ ଅଧିକାର କରି ଏହି ଅନୁଷ୍ଠାନର ଗାରିମାକୁ ବହୁଗୁଣିତ କରିଛନ୍ତି l
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆନନ୍ଦପୁର ମହାବିଦ୍ୟାଳୟରେ ପଢ଼ୁଥିବା ସମୟର ସ୍ମୃତିକୁ ମନେ ପକାଇଥିଲେ। ନିଜ ପୁରାତନ ଶିକ୍ଷକ ଓ ବନ୍ଧୁ ମାନଙ୍କ ବିଷୟରେ କହି ସେ ଭାବବିହ୍ୱଳ ହୋଇ ପଡ଼ିଥିଲେ।ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ମହାବିଦ୍ୟାଳୟ ସ୍ତରରେ ପି.ଏମ୍. ଉଷା ଯୋଜନା ଲାଗୁ କରାଯାଉଛି ବୋଲି ପ୍ରକାଶ କରି ସେ କହିଲେ ଯେ ଏହି ଯୋଜନାରେ ଗୁଣାତ୍ମକ ଶିକ୍ଷାଦାନ, ଆଇ.ସି.ଟି. ଆଧାରିତ ଭିତ୍ତିଭୂମି ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ରହିଛି ବୋଲି ।
ଉକ୍ତ କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ, ଘସିପୁରା ବିଧାୟକ, ଶ୍ରୀ ବଦ୍ରି ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ, ଶ୍ରୀ ଅଭିମନ୍ୟୁ ସେଠୀ ପ୍ରମୁଖ ଅତିଥି ଭାବେ ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ନାରାୟଣ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ ମଧ୍ୟ କରିଥିଲେ।