ନୂଆଦିଲ୍ଲୀ : ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ମାଆ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ ମୋଦିଙ୍କ ଦେହାନ୍ତ ହୋଇଛି । ଶହେ ବର୍ଷ ବୟସରେ ଅହମ୍ମଦାବାଦସ୍ଥିତ ୟୁଏନ ମେହେଟ୍ଟା ହସ୍ପିଟାଲରେ ହୀରାବେନ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବିଳମ୍ବିତ ରାତି ୩ଟା ୩୦ରେ ଦେହାନ୍ତ ହୋଇଛି । ମା’ଙ୍କ ଦେହାନ୍ତ ନେଇ ପ୍ରଧାନମନ୍ତ୍ରୀ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ହୀରାବେନଙ୍କ ଦେହାନ୍ତ ପରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି | ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି |
ଏହାରିଭିତରେ ପଞ୍ଚଭୂତରେ ଲୀନ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନ୍ । ଗାନ୍ଧିନଗର ଶ୍ମଶାନରେ ହୀରାବେନଙ୍କ ଅନ୍ତିମ ସତ୍କାର ହୋଇଛି । ହିନ୍ଦୁ ରୀତିନୀତି ଅନୁସାରେ ସମସ୍ତ ବିଧି ସମ୍ପନ୍ନ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ବଡ଼ ଭାଇ ପଙ୍କଜ ମୋଦି ପ୍ରଥମେ ମୁଖାଗ୍ନି ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ମା’ଙ୍କୁ ବିଦାୟ ଜଣାଇଛନ୍ତି ।