ଭୁବନେଶ୍ୱର: କେନ୍ଦୁଝରରେ ଆରମ୍ଭ ହେବ ସ୍ୱାସ୍ଥ୍ୟସେବାର ନୂଆ ଯୁଗ । ଧରଣୀଧର ସରକାରୀ ମେଡିକାଲ କଲେଜ ହସ୍ପିଟାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଓଡିଶାର ସ୍ୱାସ୍ଥ୍ୟ ବିଭାଗର ଏକ ଯୋଡି ହେବ ନୂଆ ଫର୍ଦ୍ଦ । କେନ୍ଦୁଝର ଯାଇ ଜିଲ୍ଲାବାସୀଙ୍କୁ ୪ହଜାର ୭ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୮୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ମେଡ଼ିକାଲ୍ କଲେଜ । ଏଥିରେ ପ୍ରଥମ ବର୍ଷରେ ୧୦୦ଟି MBBS ସିଟରେ ଆଡମିଶନ ହୋଇଛି । ୨୦୧୬ରେ ଧରଣୀ ଧର ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ।
ଖୁବଶୀଘ୍ର ସମସ୍ତ ବିଭାଗ କାର୍ୟ୍ୟକ୍ଷମ ହେବା ସହିତ, ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ଜନସାଧାରଣଙ୍କୁ ମିଳିପାରିବ ଉନ୍ନତମାନର ସ୍ବାସ୍ଥ୍ୟସେବା । ମେଡିକାଲ କଲେଜ ଉଦଘାଟନ ପରେ ଏସ ୪ ହଜାର ୭ ଶହ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି । ଡିଡି କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିବା ପରେ ଉପକୃତ ହେବେ ଜିଲ୍ଲାର ଛାତ୍ରଛାତ୍ରୀ । ଏଥିପାଇଁ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଓ ୫ଞ ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାବାସୀ । ଏହି ନିକଟରେ ଜୟପୁରର ବିକ୍ରମଦେବ କଲେଜକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦିଆଯାଇଥିଲା । ଯାହାଙ୍କୁ ଜୟପୁର ବିକ୍ରମ ଦେବ କଲେଜର ଛାତ୍ରଛାତ୍ରୀ ଏବଂ ବିଧାୟକ ତାରାବାହିନୀ ପତି ମୁଖ୍ୟମନ୍ତ୍ରୀ ମବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ ।