କେନ୍ଦୁଝର ଦୁର୍ଘଟଣାରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

0

ଭୁବନେଶ୍ୱର: ଗତ ରାତିରେ କେନ୍ଦୁଝର ଜିଲ୍ଲାର ଷଠିଘର ଠାରେ ହୋଇଥିବା ଟ୍ରକ ଦୁର୍ଘଟଣାରେ ପାଞ୍ଚ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।ଏହି ଦୁର୍ଘଟଣାରେ ଆହତ ମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନା ଅନୁସାରେ କେନ୍ଦୁଝର ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ଷଠିଘରସାହୀ ନିକଟରେ ଘଟିଛି ଏପରି ହୃଦୟ ବିଦାରକ ଦୁର୍ଘଟଣା । ବରଯାତ୍ରୀ ମାନେ ରାତି ପ୍ରାୟ ଗୋଟାଏ ରୁ ଗୋଟାଏ ତିରିଶ ମିନିଟ ସମୟରେ ଡିଜେ ବଜାଇ ରୋଷଣୀ କରି ବରକୁ ନେଇ ଶୋଭାଯାତ୍ରାରେ ଯାଉଥିଲେ। ଝିଅ ଘର ଠାରୁ ମାତ୍ର କିଛି ଦୂରରେ ପହଞ୍ଚିଥିବା ବେଳେ ଜାତୀୟ ରାଜପଥରେ ଯାଉଥିବା ଏକ ଟ୍ରକ ବରଯାତ୍ରୀଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ର ମୃତ୍ୟୁ ହୋଇଯାଇଥିବା ବେଳେ ୯ ଜଣ ଗୁରୁତର ହୋଇ ହୋଇଥିଲେ ।