ଗଞ୍ଜାମ : ଆଜି ଭୋରରୁ ଗଞ୍ଜାମ ଦିଗପହଣ୍ଡି ଠାରେ ହୋଇଥିବା ବସ ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।
ଗଞ୍ଜାମ ଦିଗପହଣ୍ଡି ବସ୍ ଦୁର୍ଘଟଣା ଖବର ଅତ୍ୟନ୍ତ ଦୁଃଖଦାୟକ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତଙ୍କ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି। ଦୁର୍ଘଟଣାରେ ମୃତକଙ୍କ ଅମର ଆତ୍ମାର ସଦଗତି କାମନା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି।
— Naveen Patnaik (@Naveen_Odisha) June 26, 2023
ଏହି ଦୁର୍ଘଟଣାରେ ଆହତ ମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।ଘଟଣାସ୍ଥଳକୁ ତୁରନ୍ତ ଯାଇ ବିପନ୍ନଙ୍କୁ ସହାୟତା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମନ୍ତ୍ରୀ ବିକ୍ରମ ଆରୁଖ ଓ ଗଞ୍ଜାମ DPCC ଅଧ୍ୟକ୍ଷ ବିଧାୟକ ବିକ୍ରମ ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ମିଳିଥିବା ସୂଚନା ମୁତାବକ ସେହିପରି ଏହା ମର୍ମନ୍ତୁଦ ଦୁର୍ଘଟଣାରେ ୧୨ ମୃତ ୮ ଗୁରୁତର ଆହତ ହୋଇଛନ୍ତି ।
ମୃତକଙ୍କ ମଧ୍ୟରେ ୪ମହିଳା, ୬ ପୁରୁଷ ଓ ୨ଶିଶୁ ଅଛନ୍ତି । ମୃତକମାନେ, ମନ୍ତ୍ରୀ ବିକ୍ରମ ଆରୁଖ ଓ ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି ।ରବିବାର ରାତିରେ ବ୍ରହ୍ମପୁର ବ୍ରହ୍ମାନଗରରେ ହେଉଥିବା ବାହାଘର ଉତ୍ସବରେ ଯୋଗଦେବା ପାଇଁ ଗାଁରୁ କନ୍ୟାଯାତ୍ରି ଦଳ ଆସିଥିଲେ । ବାହାଘର ସ୍ଥାନରେ କନ୍ୟାକୁ ଛାଡିବା ପରେ ଭୋଜି ଖାଇ ଏକ ମିନି ବସରେ ପ୍ରାୟ ୩୦ ଜଣ କନ୍ୟାଯାତ୍ରୀ ନିଜ ଗାଁକୁ ଫେରୁଥିଲେ ।