ଆସ୍କା/ କମଳିନୀ ହୋତା :ଆଦର୍ଶ ଆସିକା ଥାନାରେ ନୂତନ ଭାବେ ଶିଶୁ ମିତ୍ର ସେଲ ଖୋଲିଲା । ଆଜି ସନ୍ଧ୍ୟା ୫ଟା ସମୟରେ ରାଷ୍ଟ୍ର ଗୃହ ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ଦ୍ୱାରା ରାଜ୍ୟର ୧୫ଗୋଟି ଥାନାରେ ଶିଶୁମିତ୍ର ଥାନାର ମାନ୍ୟତା ଦିଆଯିବା ସହିତ ଅନୁସାଙ୍ଗିକ ବ୍ୟବସ୍ଥା କରାଯାଇଛି । ଶିଶୁ ମାନଙ୍କ ଅଭିଯୋଗ ଓ ସେମାନଙ୍କ ଥାନା ପ୍ରତି ଭୟ ଦୂର କରିବା ପାଇଁ ଏଭଳି ବ୍ୟବସ୍ଥା ସରକାରଙ୍କ ପକ୍ଷରୁ କରାଯାଇଥିବା କହିଛନ୍ତି ଆସିକା ଏସ ଡି ପି ଓ ଉମା ଶଙ୍କର ସିଂ । ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ପରିଚାଳିତ ଉକ୍ତ ଥାନାରେ ସମସ୍ତ ପ୍ରକାରର ଭିତ୍ତିଭୂମିକୁ ସୁଦୃଢ କରାଯାଇଥିବା ବେଳେ ଏହି ଥାନାକୁ ଗୃହ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମାନ୍ୟତା ଓ ଗୁରୁତ୍ୱ ପ୍ରଦାନ କରାଯାଉଥିବା ନେଇ ଆମ ପୋଲିସ ସମିତି ସଦସ୍ୟ ମାନେ ମତ ପ୍ରକାଶ କରିଛନ୍ତି । ଶିଶୁ ମାନଙ୍କ ପାଇଁ ସୁନ୍ଦର ବାତାବରଣ ସୃଷ୍ଟି କରାଯିବ ସହ ଆବଶ୍ୟକୀୟ ଖେଳଣା ଓ ଶୌଚାଳୟର ବ୍ୟବସ୍ଥା ମଧ୍ୟ କରାଯାଇଛି । ଆସିକା ଆଦର୍ଶ ଥାନାର ଦକ୍ଷ ମହିଳା ଏସ ଆଇ ଶ୍ରଦ୍ଧାଞ୍ଜଳି ସେନାପତିଙ୍କୁ ଶିଶୁମିତ୍ର ମାନଙ୍କ ଦାୟିତ୍ୱ ଦିଆଯାଇଥିବା ବେଳେ ଆଗାମୀ ଦିନରେ ଏହି ଦାୟିତ୍ୱକୁ ଦକ୍ଷତାର ସହ ପରିଚାଳନା କରିବେ ବୋଲି ବୁଦ୍ଧିଜୀବୀ ଆଲୋଚନା କରିଛନ୍ତି । ଭରଚୁଆଲ ମାଧ୍ୟମରେ ଉଦଘାଟିତ ଏହି କାର୍ଯ୍ୟକ୍ରମରେ ଆସିକା ପୋଲିସର ସମସ୍ତ ସଦସ୍ୟ ଓ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।