ଚିଲିକା ଡଙ୍ଗାବୁଡି ଘଟଣାରେ ରିପୋର୍ଟ ଆସିଲେ ତଦନ୍ତ ହେବ: ମନ୍ତ୍ରୀ

0

(ସରୋଜ କୁମାର ରାଉତ)ଭୁବନେଶ୍ୱର: ଗତ କିଛି ଦିନ ତଳେ ଚିଲିକାରେ ଘଟିଥିବା ଡଙ୍ଗାବୁଡି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ। ଏହି ମାମଲାରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସେ କହିଛନ୍ତି ଯେ, କେଉଁ ଡଙ୍ଗାର ରେଜିଷ୍ଟ୍ରେସନ ଅଛି କି ନାହିଁ ଓ ସେମାନେ ଯାତ୍ରୀ ମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଲାଇଫ ଜ୍ୟାକେଟ ଉପଲବ୍ଧ ରହିଛି କି ନାହିଁ ତାହାର ତଦନ୍ତ ହେଉଛି । ଦିନେ କି ଦୁଇ ଦିନ ମଧ୍ୟରେ ଏହାର ତଦନ୍ତ ରିପୋର୍ଟ ଆସିଯିବ । ତଦନ୍ତ ଆସିଲେ କଡା ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ,ଗତ ରବିବାର ଅପରାହ୍ନରେ କାଳିଯାଈରୁ ପିକନିକ୍ କରି ୩ଟି ଡଙ୍ଗାରେ ୪୦ରୁ ଅଧିକ ଯାତ୍ରୀ ଫେରୁଥିଲେ। ତେବେ କାଳିଯାଈ ଗଣ୍ଡରେ ଗୋଟିଏ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏଥିରେ ପ୍ରାୟ ୨୫ଜଣ ଯାତ୍ରୀ ରହିଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା। ଉଦ୍ଧାର ଯାତ୍ରୀଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା । ସେମାନଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାରେ ବାଲୁଗାଁ ପୋଲିସ ୩ଜଣଙ୍କୁ ଗିରଫ କରିଛି। ଗିରଫମାନଙ୍କ ମଧ୍ୟରୁ ଜଣେ ଡଙ୍ଗାର ମାଲିକ ରହିଥିବା ବେଳେ ଆଉ ୨ଜଣ ଚାଳକ ରହିଛନ୍ତି।