ସାରା ରାଜ୍ୟରେ ଏବେ ହଇଜା ହୁହୁ ହୋଇ ବ୍ୟାପିଲାଣି । ଜଣେ ଡାକ୍ତରଖାନାରେ ଭର୍ତ୍ତି ହେଲା ବେଳକୁ, ଆଉ ଚାରିଜଣ ଅସୁସ୍ଥ ହେଲେଣି । କାହାର ଜୀବନ ଯାଉଛି, ତ ଆଉ କିଏ ମୃତ୍ୟୁ ସହ ସଂଘର୍ଷ କରୁଛି । ଗାଁ ଗାଁରେ ଭୟଙ୍କର ପରିସ୍ଥିତି, ଆଉ ସାହି ସାହିରେ ହାହାକାର ପଡ଼ିଲାଣି । ଜିଲ୍ଲା ପରେ ଜିଲ୍ଲାକୁ ମାଡ଼ି ଚାଲିଛି ଝାଡ଼ାବାନ୍ତି । ହଟ୍ସ୍ପଟ୍ ଯାଜପୁରରେ କଲେରା ବ୍ୟାପିବା କେନ୍ଦ୍ରୀୟ ଟିମ୍ ସ୍ପଷ୍ଟ କରିଥିବା ବେଳେ ପରିସ୍ଥିତିର ମୁକାବିଲା ପାଇଁ ଲୋକଙ୍କୁ ଭୋଜିଭାତ ସହ ବାହାରେ ଖିଆପିଆ ଆଦି କରିବାକୁ ମନା କରାଯାଉଛି ଏବଂ ହୋଟେଲ୍ ଓ ଜଳଖିଆ ଦୋକାନ ଆଦି ଖୋଲିବା ଉପରେ ବି କଟକଣା ଲାଗିଛି ।
ରାଜ୍ୟରେ ହଇଜା ଉଦବେଗ ଜନକ ସ୍ଥିତିରେ ଥିବାବେଳେ ସୋମବାର ଅପରାହ୍ନ ସୁଦ୍ଧା ରାଜ୍ୟର ୭ଜିଲ୍ଲାକୁ ବ୍ୟାପିଛି ଝାଡାବାନ୍ତି । ଯାଜପୁର ପରେ କଟକ, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ ଓ ପୁରୀରୁ ଡାଇରିଆ ମାଡିଗଲାଣି । ସବୁଠୁ ଅଧିକ ପ୍ରଭାବିତ ଯାଜପୁର ଜିଲ୍ଳାର କୋରେଇ, ବଡ଼ଚଣା । ଧର୍ମଶାଳାରେ ସ୍ଥିତିରେ ସାମାନ୍ୟ ସୁଧାର ଆସୁଥିବାବେଳେ, ଯାଜପୁର ଓ ବରୀ ବ୍ଲକରେ ହଇଜା ବ୍ୟାପୁଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ ଏବେ ବି ୨୫୦ରୁ ଅଧିକ ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସ୍ଥିତି ଗମ୍ଭୀର ଥିବାରୁ ଯାଜପୁରର ପ୍ରଭାବିତ ଅଞ୍ଚଳକୁ ଯାଇ ଅନୁଧ୍ୟାନ କରିଛନ୍ତି ସ୍ୱାସ୍ଥ୍ୟ ସଚିବ । କେନ୍ଦ୍ର ଓ ରାଜ୍ୟର ୧୪ ଜଣିଆ କେନ୍ଦ୍ରୀୟ ଟିମ୍ ଗ୍ରାଉଣ୍ଡର ସ୍ଥିତି ଅନୁଧ୍ୟାନ କରିବା ପରେ ଜଣାପଡିଛି କଲେରା ଜୀବାଣୁ ଯୋଗୁଁ ବ୍ୟାପିଛି ହଇଜା । କିନ୍ତୁ ହଇଜା ଏବେ ପାଣ୍ଡେମିକ୍ ନୁହେଁ, ଏଣ୍ଡେମିକ୍ ଷ୍ଟେଜ୍ରେ ଅଛି । ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ୧୪ ଜଣିଆ କେନ୍ଦ୍ରୀୟ ଟିମ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରିଛି । ପିଇବା ପାଣି, ଖାଦ୍ୟ ନିରାପତ୍ତା ସହ ବ୍ୟକ୍ତିଗତ ସ୍ୱଛତା ଉପରେ ପରାମର୍ଶ ଦିଆଯାଇଛି ।
ତେବେ ହଇଜା ମାଡ଼ିବା ପଛରେ ଇ-କୋଲାଇ ବ୍ୟାକ୍ଟେରିଆ ହେଉଛି ମୁଖ୍ୟ କାରଣ । ଯାଜପୁରର ବିଭିନ୍ନ ଅଞ୍ଚଳରୁ ସଂଗ୍ରହ ହୋଇଥିବା ନମୁନାରେ ଇ-କୋଲାଇ ବ୍ୟାକ୍ଟେରିଆ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏନେଇ ସରକାର ବିଧିବଦ୍ଧ ଭାବେ ସ୍ପଷ୍ଟ କରି ନାହାନ୍ତି । ତେବେ ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ଇ-କୋଲାଇ ବ୍ୟାକ୍ଟେରିଆ ବୋଲି ଜଣାପଡିଛି । ଏହି ବ୍ୟାକ୍ଟେରିଆ ପାଣି ଦ୍ୱାରା ବ୍ୟାପିଥାଏ ଏବଂ ପେଟ ଜନିତ ସମସ୍ୟା ଦେଖାଦିଏ । ଆକ୍ରାନ୍ତଙ୍କୁ ଜ୍ୱର ସମେତ ଅତ୍ୟଧିକ ଝାଡ଼ାବାନ୍ତି ହେବାର ବି ଆଶଙ୍କା ଥାଏ । ଅତି ଶୋଚନୀୟ ହେଲେ କିଡନି ଖରାପ ହେବାର ଆଶଙ୍କା ବି ରହିଛି ।
ବ୍ୟାପୁଥିବା ହଇଜାକୁ ଦୃଷ୍ଟିରେ ରଖି ଯାଜପୁରର ଅନେକ ସ୍ଥାନରେ ଫାଷ୍ଟଫୁଡ୍ ଦାକାନ ଏବଂ ଢାବାଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚାଟ୍, ଗୁପ୍ଚୁପ୍, ଜଳଖିଆ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯିବା ସହ ହୋଟେଲ୍ଗୁଡ଼ିକୁ ସ୍ୱଛତା ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।