ଆଜି ବଡଦିନ : ଧରାପୃଷ୍ଠକୁ ଅବତରଣ କରିଥିଲେ ପ୍ରଭୁ ଯୀଶୁ

0

ଡିସେମ୍ବର ୨୫ ସାରା ବିଶ୍ୱରେ ଖ୍ରୀଷ୍ଟମାସ ବା ବଡଦିନ ଭାବେ ପାଳନ କରାଯାଏ । ଖ୍ରୀଷ୍ଟ ଧର୍ମର ଏହି ଦିନକୁ ସବୁଠାରୁ ପବିତ୍ର ମନେକରାଯାଏ । ଖ୍ରୀଷ୍ଟଧର୍ମର ପ୍ରବର୍ତ୍ତକ ଯୀଶୁ ଖ୍ରୀଷ୍ଟ ଏହିଦିନ ଧରାବତରଣ କରିଥିଲେ । ଦୟା, କ୍ଷମା, କରୁଣାର ଅବତାର ଥିଲେ ପ୍ରଭୁ ଯୀଶୁ। ମାନବ ସମାଜକୁ ଦିଗ୍‌ଦର୍ଶନ ଦେବା ଲାଗି ପରମେଶ୍ବରଙ୍କ ନିର୍ଦ୍ଦେଶରେ ସେ ଧରାବତରଣ କରିଥିଲେ। ସମାଜର ମଙ୍ଗଳ ପାଇଁ ସେ ହସିହସି ପ୍ରାଣବଳି ଦେଇଥିଲେ। ପ୍ରଭୁ ଯୀଶୁ ମାନବସମାଜକୁ ପ୍ରେମ ଏବଂ ମାନବିକତା ଶିକ୍ଷା ଦେଇଥିଲେ।

ସେ ଜଗତର ଲୋକଙ୍କୁ ପ୍ରେମ ଏବଂ ଭାଇଚାରା ସହିତ ବଞ୍ଚିବାକୁ ବାର୍ତ୍ତା ଦେଇଥିଲେ।  ଏହି ଦିନଟିକୁ ଇଉରୋପୀୟ ରାଷ୍ଟ୍ରରେ ଖୁବ୍ ଜାକଜମକରେ ପାଳନ କରାଯାଉଥିଲାବେଳେ ଆଜିକାଲି ପ୍ରାୟତଃ ସବୁସ୍ଥାନରେ ଏହି ଦିବସ ପାଳନ କରାଯାଉଛି। ବଡ଼ଦିନ ପାଳନ ଅବସରରେ ଚର୍ଚ୍ଚଗୁଡ଼ିକୁ ବିଭିନ୍ନ ରଙ୍ଗବେରଙ୍ଗର ଆଲୋକମାଳା, ତାରକାରେ ସଜ୍ଜିତ କରାଯାଇ କ୍ୟାରୋଲ ସଙ୍ଗୀତ ଗାନ, ସମୂହ ପ୍ରାର୍ଥନା ସହ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଏ। ଖ୍ରୀଷ୍ଟ ଧର୍ମର ଲୋକେ ବଡ଼ଦିନ ଉପଲକ୍ଷେ ନିଜ ଘରକୁ ଆଲୋକମାଳା ଓ ଫୁଲରେ ସଜାଇବା ସହ ନୂତନ ପୋଷାକ ପରିଧାନ କରିଥାନ୍ତି। ଏହି ଅବସରରେ ବିଭିନ୍ନ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରାଯାଇଥାଏ।

ବଡ଼ଦିନରେ କେକ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମସ୍ତେ ମିଳିତ ହୋଇ କେକ୍‌ କାଟିବା ସହ ପରସ୍ପରକୁ ଏହାକୁ ଖୁଆଇ ଏହି ଦିନର ଶୁଭ କାମନା ଜଣାଇଥାନ୍ତି। ଛକ ଛକରେ ଲାଇଟ୍‌ ଲଗାଇ ଖ୍ରୀଷ୍ଟମାସ୍‌ ଗଛ ସଜାଇ ଥା’ନ୍ତି ଖ୍ରୀଷ୍ଟଧର୍ମାବଲମ୍ବୀ ଲୋକେ। ଏହି ଅବସରରେ ଲୋକେ ପରସ୍ପରକୁ ଉପହାର ଦେଇ ଶୁଭକାମନା ଜଣାଇଥାନ୍ତି। ଏହି ଦିନର ସବୁଠାରୁ ଆକର୍ଷଣୀୟ ବିଷୟ ହେଉଛି ଖ୍ରୀଷ୍ଟମାସ୍‌ ଟ୍ରି ଓ ସାନ୍ତାକ୍ଲଜ୍। ପ୍ରଥମେ ଲଣ୍ଡନରେ ଏହି ଖ୍ରୀଷ୍ଟମାସ୍‌ ଟ୍ରି ପରମ୍ପରା ଆରମ୍ଭ ହୋଇଥିଲା। ପିଲାଙ୍କ ଆୟୁଷ ବଢ଼ିବା ନିମନ୍ତେ ଏହି ଗଛ ସଜ୍ଜାଯାଉଥିବା କୁହାଯାଏ।