ରାଇରଙ୍ଗପୁର/ସତ୍ୟନାରାୟଣ ପାଲ : “ସ୍ୱଚ୍ଛତା ହିଁ ସେବା” ଅଭିଯାନ ପରିପ୍ରେକ୍ଷୀରେ ପୌରପାଳିକା ତରଫରୁ ସହରାଞ୍ଚଳ ସଫେଇ | ଚଳିତ ମାସ ୧୭ ତାରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିଲା ଦେଶ ବ୍ୟାପି “ସ୍ୱଚ୍ଛତା ହିଁ ସେବା” ଅଭିଯାନ | ଏହି ପରିପ୍ରେକ୍ଷୀରେ ଆଜି ରାଇରଙ୍ଗପୁର ପୌରପାଳିକା ତରଫରୁ ପୌର କାର୍ଯ୍ୟାଳୟର ସମସ୍ତ ବର୍ଗର କର୍ମଚାରୀ ମାନେ ହାତରେ ଝାଡୁ, ଅଳିଆ ଡାଲା ଓ ଅଳିଆ ବାକ୍ସ ଧରି ରାଇରଙ୍ଗପୁର ବସ ଷ୍ଟାଣ୍ଡ ଠାରୁ ସଫେଇ କାର୍ଯ୍ୟ ଆରମ୍ଭ କରି ସହରର ବିଭିନ୍ନ ଅଂଚଳ ସଫେଇ କରିଥିଲେ | ଏହି ସଫେଇ କାର୍ଯ୍ୟ ସମୟରେ ସେମାନେ ପରିବେଶକୁ ପ୍ରଦୂଷଣ ମୁକ୍ତ ତଥା ରାଇରଙ୍ଗପୁର ସହରକୁ ସ୍ୱଚ୍ଛ, ସୁନ୍ଦର ଓ ନିର୍ମଳ ସହର ଭାବେ ଗଢି ତୋଳିବା ପାଇଁ ସଚେତନ ଧର୍ମୀ ବାର୍ତ୍ତା ଲେଖା ଥିବା ପ୍ଲା କାର୍ଡ ଏବଂ ଜନସାଧାରଣଙ୍କ ସହିତ ସକାରାତ୍ମକ ଢଙ୍ଗରେ ସିଧାସଳଖ ବାର୍ତ୍ତାଳାପ ଜରିଆରେ ସଚେତନ କରାଇବାର ପ୍ରଚେଷ୍ଟା କରିଥିଲେ |
ଏହି ଅବସରରେ ରାଇରଙ୍ଗପୁର ପୌରପାଳିକା ତଥା ବାମନଘାଟି ଉପଖଣ୍ଡ ପ୍ରଶାସନ ତରଫରୁ ସମସ୍ତ ଜନସାଧାରଣ ସମେତ ବିଭିନ୍ନ ଛୋଟ ବଡ଼ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ମାନଙ୍କୁ ନିବେଦନ କରାଯାଉଛି କି ପରିବେଶକୁ ପ୍ରଦୂଷଣ ମୁକ୍ତ ଓ ସ୍ୱଚ୍ଛ ରଖିବା ପାଇଁ | ଏଥିସହ ତା’ଙ୍କ ଦୈନନ୍ଦିନ ଜୀବନରେ ଓ ବ୍ୟବସାୟୀକ କାରବାରରେ ୧୨୦ ମାଇକ୍ରୋନରୁ କମ ମୋଟେଇର ପ୍ଲାଷ୍ଟିକ ଓ ଥର୍ମକୋଲରେ ତିଆରି ହୋଇଥିବା ସାମଗ୍ରୀ ଯଥା ପଲିଥିନ, ଜରି, କେରିବେଗ, ପ୍ଲେଟ, ଗ୍ଲାସ ଓ ଚାମଚ ଇତ୍ୟାଦି ବ୍ୟବହାରକୁ ନିଶ୍ଚିତ ଭାବେ ପରିହାର କରିବା ପାଇଁ ସଂକଳ୍ପବଦ୍ଧ ହୁଅନ୍ତୁ | ସ୍ଵଭାଵ ସ୍ୱଚ୍ଛତା ଓ ସଂସ୍କାର ସ୍ୱଚ୍ଛତା ନୀତିକୁ ଆପଣାଇ ଏକ ସୁସ୍ଥ ସମାଜ ଗଠନ ସହିତ ବିକଶିତ ଭାରତ ଗଠନରେ ସହାୟକ ହୁଅନ୍ତୁ |
ପ୍ରକାଶ ଥାଉକି ଉକ୍ତ ଅଭିଯାନ ଆସନ୍ତା ଅକଟୋବର ମାସ ୨ ତାରିଖ ସ୍ୱଚ୍ଛ ଭାରତ ମିଶନ ଦିବସ ପର୍ଯ୍ୟନ୍ତ ଚାଲୁ ରହିବ | ଏହି ଅଭିଯାନରେ ବିଭିନ୍ନ ସ୍ବେଛାସେବୀ, ଛାତ୍ରଛାତ୍ରୀ, ଯୁବ ବର୍ଗ ତଥା ସମାଜର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ସର୍ବପରି ସାଧାରଣ ଜନତାଙ୍କୁ ସାମିଲ ହେବାପାଇଁ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକଙ୍କ ତରଫରୁ ଅନୁରୋଧ କରାଯାଉଛି।