ଭୁବନେଶ୍ୱର: ଆଜି ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମ୍ବଲପୁରସ୍ଥିତ ତପସ୍ୱିନୀ ହଲ୍ଠାରେ ମୁଖ୍ୟମନ୍ତ୍ରୀ ଯୋଜନାର ଶୁଭାରମ୍ଭ କରିବା ନେଇ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନଙ୍କୁ ୯୨୫ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ। ଡିବିଟି ମାଧ୍ୟମରେ ଏହି ସହାୟତା ରାଶି ପ୍ରଦାନ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସିଏମ୍ କିଷାନ ପୋର୍ଟାଲର ଉନ୍ମୋଚନ କରିବେ। ଏହାସହ ପିଏମ୍ କିଷାନ ଯୋଜନାର ସ୍ୱତନ୍ତ୍ର ଅଭିଯାନ ସହ କୃଷକ ଓଡ଼ିଶା ୟୁନିଫାଏଡ୍ ପୋର୍ଟାଲର ମଧ୍ୟ ଉନ୍ମୋଚନ କରାଯିବ।
ସୂଚନାଯୋଗ୍ୟ ଯେ ସିଏମ୍ କିଷାନ ପୋର୍ଟାଲ ଅଧିନରେ ସିଏମ୍ କିଷାନ ଓ ପିଏମ୍ କିଷାନ ଯୋଜନାରେ ନୂଆ ହିତାଧିକାରୀଙ୍କ ନାମ ପଞ୍ଜୀକରଣ କରାଯାଇପାରିବ। ସେହିପରି ପିଏମ୍ କିଷାନ ଯୋଜନାରେ ସ୍ୱତନ୍ତ୍ର ପଦକ୍ଷେପ ଭାବେ ଆଗାମୀ ୨ ମାସ ପର୍ଯ୍ୟନ୍ତ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ପିଏମ୍ କିଷାନ ଯୋଜନାର ସ୍ୱତନ୍ତ୍ର ଅଭିଯାନ ଆଜିଠାରୁ ଆରମ୍ଭ ହେବ।