୬ ଦିନିଆ ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ

0

ସିଙ୍ଗାପୁରରୁ ଆସିବ ଶିଳ୍ପ । ୬ ଦିନିଆ ସିଙ୍ଗାପୁର ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାଙ୍ଗରେ ରହିଛନ୍ତି ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରତିନିଧି ମଣ୍ଡଳୀ । ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ସମଗ୍ର ବିଶ୍ୱରେ ନିବେଶକଙ୍କ ପାଇଁ ପ୍ରଥମ ପସନ୍ଦ ହେବାକୁ ଯାଉଛି ଓଡ଼ିଶା । ସିଙ୍ଗାପୁରରେ ଆମର ସ୍ପଷ୍ଟ ବାର୍ତ୍ତା ରହିବ ଓଡ଼ିଶା ନିବେଶ ପାଇଁ ସମ୍ପୂର୍ଣ ପ୍ରସ୍ତୁତ ରହିଛି । ଓଡ଼ିଶାରେ ପୁଞ୍ଜି ନିବେଶ ଓ ନିଯୁକ୍ତି ସୁଯୋଗ ବଢ଼ାଇବା ପାଇଁ ଆମେ ଚେଷ୍ଟା କରିବୁ। ସେଠାକାର କେମିକାଲ, ଗ୍ରିନ ଏନର୍ଜି, ବସ୍ତ୍ର ନିର୍ମାଣ , ଜାହାଜ ନିର୍ମାଣ , ଲଜିଷ୍ଟିକ, ଇଲେକ୍ଟ୍ରୋନିକ ଆର୍ଥିକ ସେବା ଆଦି ବଡ଼ ବଡ଼ କମ୍ପାନୀ କାମ କରୁଛନ୍ତି। ଆମେ ସେହି କମ୍ପାନୀ ଗୁଡ଼ିକର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିବୁ। ଓଡ଼ିଶାରେ ପ୍ରକୃତି ସମ୍ବଳ, ଦକ୍ଷ ମାନବ ସମ୍ବଳ ଉନ୍ନତ ଶିଳ୍ପ ନୀତି ସମ୍ବନ୍ଧରେ ଆମେ ସେଠାରେ ଜଣାଇବୁ। ଶିଳ୍ପ ଜଗତର ଶୀର୍ଷ ନେତୃତ୍ବ ମାନଙ୍କୁ ବିକଶିତ ଓଡିଶା ଗଠନ ପାଇଁ, ଓଡିଶାରେ ବ୍ୟାପକ ପୁଞ୍ଜି ନିବେଶ କରିବା ପାଇଁ ଓ ବହୁ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ  ନିମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ । ସିଙ୍ଗାପୁରରେ ଟୁଆସ୍ ପୋର୍ଟ, ଜୁରାଙ୍ଗ ପେଟ୍ରୋକେମିକାଲ୍‌ କମ୍ପ୍ଲେକ୍ସ ଏବଂ ITEES ସିଙ୍ଗାପୁର ଭଳି କେତେକ ବିଶ୍ଵ ସ୍ତରୀୟ କମ୍ପାନୀ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ସେମାନଙ୍କର ଉନ୍ନତ ବ୍ୟବସ୍ଥାକୁ ବୁଝିବା ସହିତ ଓଡ଼ିଶାରେ ମଧ୍ୟ ସେହି ଭଳି ବା ତା ଠାରୁ ଅଧିକ ଉନ୍ନତ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ ବିଭିନ୍ନ ଦିଗ କୁ ତର୍ଜମା କରିବେ । ସେହିପରି ସିଙ୍ଗାପୁର ଏବଂ ପଡୋଶୀ ଏସିଆନ ଦେଶମାନଙ୍କରେ ଥିବା ପ୍ରବାସୀ ଓଡିଆ ଭାଇଭଉଣୀମାନଙ୍କୁ ମଧ୍ୟ ଭେଟିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ମୁଁ ଆଶା କରୁଛି ଯେ, ଏହି ଯାତ୍ରା ଯୋଗୁ ଓଡିଶାରେ ଟେକ୍‌ସଟାଇଲସ୍, କେମିକାଲ୍ସ, ଗ୍ରୀନ ଏନର୍ଜି, ଲଜିଷ୍ଟିକ୍‌, ସିପ୍ ବିଲ୍‌ଡିଙ୍ଗ ଓ ଇଲେକ୍ଟ୍ରୋନିକ୍‌ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହେବ । ଏହା ଦ୍ବାରା ଓଡିଶାରେ ଯୁବକମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।