ଜୀବନ ହାରିଲେ ସୌମ୍ୟାଶ୍ରୀ, ଶୋକ ପ୍ରକାଶ କଲେ ନେତା, ମନ୍ତ୍ରୀ

0

ଭୁବନେଶ୍ଵର: ଏମ୍‌ସରେ ଦୀର୍ଘ ଘଣ୍ଟା ଧରି ଜୀବନ ମରଣ ସହ ଲଢ଼େଇ କରିବା ପରେ ଶେଷରେ ହାରିଯାଇଛନ୍ତି ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ ବିଏଡ୍‌ ଦ୍ବିତୀୟ ବର୍ଷର ଛାତ୍ରୀ ସୌମ୍ୟାଶ୍ରୀ ବିଶି । ଭୁବନେଶ୍ବର ଏମ୍‌ସର ବର୍ଣ୍ଣ ବିଭାଗରେ ଚିକିତ୍ସାଧୀନ ସୌମ୍ୟାଶ୍ରୀଙ୍କର ଗତକାଲି ରାତି ୧୧ଟା ୪୬ମିନିଟ୍‌ରେ ମୃତ୍ୟୁ ଘଟିଛି। ୮ଜଣିଆ ବିଶେଷଜ୍ଞ ଡାକ୍ତରଙ୍କ ଅନେକ ପ୍ରଚେଷ୍ଟା ସତ୍ତ୍ବେ ମଧ୍ୟ ଛାତ୍ରୀଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରିନାହିଁ। ମୃତ୍ୟୁ ପରେ ଶବକୁ ବିଳମ୍ବିତ ରାତିରେ କଡ଼ା ସୁରକ୍ଷା ମଧ୍ୟରେ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ଏମ୍‌ସ ପକ୍ଷରୁ ଜାରୀ ସୂଚନା ଅନୁସାରେ ସୌମ୍ୟାଶ୍ରୀଙ୍କୁ ଦୁଇ ଦିନ ତଳେ ଅର୍ଥାତ ୧୨ତାରିଖ ଦିନ ବାଲେଶ୍ବର ଜିଲା ହସ୍‌ପିଟାଲରୁ ସନ୍ଧ୍ୟା ୫ଟା ୧୫ମିନିଟ୍‌ରେ ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯିବା ସହ ଆବଶ୍ୟକୀୟ ଉନ୍ନତ ଚିକିତ୍ସା କରାଯାଉଥିଲା। ତେବେ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଥିବାରୁ ତାଙ୍କ କିଡ୍‌ନୀ, ଫୁସ୍‌ଫୁସ୍‌ ଓ ଲିଭର ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା। ୯୮ ପ୍ରତିଶତ ଅକ୍ସିଜେନ ଦିଆଯାଉଥିଲା ଏବଂ ଦିଲ୍ଲୀ ଏମ୍‌ସ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ତାଙ୍କର ଡାଏଲିସିସ୍‌ ମଧ୍ୟ କରାଯାଉଥିଲା। ତେବେ ଅବସ୍ଥା ଆରମ୍ଭରୁ ସଙ୍କଟାପନ୍ନ ରହିଥିଲା। ଶେଷରେ ତାଙ୍କର ମୃତ୍ୟୁ ହୋଇଛି ।

ସେପଟେ ବାଲେଶ୍ବର ଫକୀରମୋହନ କଲେଜରେ ଆତ୍ମାହୁତି ଉଦ୍ଯମ କରିଥିବା ଛାତ୍ରୀ ସୌମ୍ଯାଶ୍ରୀ ବିଶିଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ। କହିଲେ, ଛାତ୍ରୀଙ୍କ ପରିବାର ଲୋକଙ୍କ ସହ ସରକାର ଦୃଢ଼ ଭାବରେ ଛିଡ଼ା ହୋଇଛନ୍ତି। ସେହିପରି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଅନ୍ୟପଟେ ଦୁଃଖ ପ୍ରକାଶ କରି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ । ତମାମ ପ୍ରଚେଷ୍ଟା ତଥା ପ୍ରାର୍ଥନା ସତ୍ତ୍ୱେ ଆମେ ଛାତ୍ରୀଜଣଙ୍କୁ ହରାଇଲୁ । ସେହିପରି ଆମ ସରକାର ପୀଡ଼ିତାଙ୍କ ପରିବାର ସହ ସର୍ବଦା ଠିଆ ହୋଇଛି । ଆମ ସରକାରଙ୍କ ତ୍ୱରିତ ପଦକ୍ଷେପ ତଥା ଏମ୍ସର ବିଶେଷଜ୍ଞ ଡାକ୍ତରଙ୍କ ଶତ ପ୍ରଚେଷ୍ଟା ସତ୍ତ୍ୱେ ମଧ୍ୟ ଏହି ମୂଲ୍ୟବାନ ଜୀବନ ରକ୍ଷା ହୋଇ ପାରିନାହିଁ ।ଏହି ମାମଲାରେ ସମସ୍ତ ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋରରୁ ଅତି କଠୋର ଦଣ୍ଡ ପ୍ରଦାନ କରାଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।