ଭୁବନେଶ୍ୱର : ସାଧାରଣ ଜନତାଙ୍କୁ ମିଳିବ ଆଶ୍ୱସ୍ତି । ଖୁବ୍ ଶୀଘ୍ର କମିବ ଆଳୁ ଦର । ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ସେଠିକାର ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ସରିଛି। ପଶ୍ଚିମବଙ୍ଗ ଶାସନ ସଚିବ ଓ ଓଡ଼ିଶାର ଶାସନ ସଚିବଙ୍କ ଉପସ୍ଥିତିରେ ଆଲୋଚନା ହୋଇଛି । ଚିଠି ଦେଇ ବସିଗଲେ ହେବନାହିଁ । ଆଗକୁ ଯେଭଳି ଆଳୁ ଦର ବୃଦ୍ଧି ନପାଇବ ଏବଂ ଯୋଗାଣ ସ୍ୱାଭାବିକ ରହିବ ସେନେଇ ପଶ୍ଚିମବଙ୍ଗ ସରକାର ସହମତି ପ୍ରକାଶ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୪ ଦିନିଆ ଗସ୍ତ ସାରି ଦିଲ୍ଲୀରୁ ଫେରିବା ପରେ ଏହା କହିଛନ୍ତି ମୋହନ।
ସେହିପରି ପୋଲାଭରମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନୀତି ଆୟୋଗ ବୈଠକରେ ଏହି ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଆଲୋଚନା କରିଛି । ପୋଲାଭରମ ଉପରେ ଆମର ଯାହାସବୁ ଦାବି ରହିଛି ସେକଥା ଦୋହରାଇଥିଲୁ । ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ପାଇଁ ପ୍ରସ୍ତାବ ଦେଇଛି ଓ ନାଇଡୁ ମଧ୍ୟ ଏଥିରେ ରାଜି ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।