(ହରପ୍ରସାଦ ବିଶୋଇ)ଭୁବନେଶ୍ୱର: ପୁରୀର ବିକାଶ ପାଇଁ ଖର୍ଚ୍ଚ ହେବ ୨୬୫ କୋଟି ଏଥିପାଇଁ ଲୋକସେବା ଭବନରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ୨୬୫ କୋଟି ଟଙ୍କାର ୫ ଗୋଟି ପ୍ରକଳ୍ପକୁ ମିଳିଛି ଅନୁମୋଦନ ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଧାମକୁ ସାରା ବିଶ୍ୱର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି । ସେମାନଙ୍କୁ ପୁରୀ ସହରରେ ଉନ୍ନତମାନର ସେବା ଓ ସୁବିଧା ଯୋଗାଇ ଦେବା ପାଇଁ ଅଭଡା ଯୋଜନାରେ ୫ଟି ଗୋଟି ଭତ୍ତିଭୂମି ବିକାଶ ପ୍ରକଳ୍ପ ଆରମ୍ଭ କରାଯିବ । ଏଥି ସହିତ ହିଁ ପୁରୀର ପୁରୁଣା ଜେଲ ପରିସର , ଯାତ୍ରୀକା ଏବଂ ମ୍ୟୁନିସପାଲଟି ମାର୍କେଟର ବିକାଶ କରାଯାଇ ସେଠାରେ ୧୨୫୦ଟି ଦୋକାନ ଘର ନିର୍ମାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିଭଳି ପୁରୀର ପୁରୁଣା ଜେଲ ପରିସରରେ ବହୁତଳ ବିଶିଷ୍ଟ ପାର୍କିଂ ବ୍ୟବସ୍ଥାର ବିକାଶ କରାଯିବ । ଏଠାରେ ୪୦୦ କାର ପାଇଁ ପାର୍କି ସୁବିଧା ରହିବ । ସେହିପରି ଯାତ୍ରୀକାରରେ ମଧ୍ୟ ବହୁତଳ କାର୍ ପାର୍କିଂ ବ୍ୟବସ୍ଥା କରାଯିବ । ଆଉ ଏଠାରେ ମଧ୍ୟ ୪ଶହ କାର ରହିଲା ଭଳି ପାର୍କିଂ ସୁବିଧା ଯୋଗାଇ ଦିଆଯିବ ।
ପୁରୀ ଜିଲ୍ଲାପାଳ କାର୍ଯ୍ୟାଳୟ ସମେତ ପୁରୀରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଗୋଟିଏ ଛାତ ତଳେ ରଖାଯିବ । ତେବେ ଗୋଟିଏ ସ୍ଥାନରେ ସମସ୍ତ ସରକାରୀ କାର୍ଯ୍ୟାଳୟ ରହିବା ଦ୍ୱାରା ସାଧାରଣ ଲୋକଙ୍କ ପାଇଁ ସୁବିଧାଜନକ ପ୍ରମାଣିତ ହେବ । ଅନ୍ୟପଟେ ସ୍ଥାନାନ୍ତରିତ ହୋଇଥିବା କାର୍ଯ୍ୟାଳୟ ପରିସରଗୁଡିକୁ ପାର୍କ ଆଦି ବିଭିନ୍ନ ନାଗରିକ ସୁବିଧା କେନ୍ଦ୍ର ଭାବରେ ବ୍ୟବହାର କରାଯାଇପାରିବ । ପୁରୀର ମ୍ୟୁନିସପାଲ୍ଟି ପୁନରୁଦ୍ଧାର କରାଯାଇ ଏହାକୁ ଅତ୍ୟାଧୂନିକ ମାର୍କେଟ କମ୍ପେ୍ଲକ୍ସରେ ପରିଣତ କରାଯିବ । ସେହିଭଳି ଆଚାର୍ୟ୍ୟ ହରିହର ଛକର ରାସ୍ତା ସଂପ୍ରସାରଣ କରାଯାଇ ସେଠାରେ ବିଭିନ୍ନ ନାଗରିକ ସୁବିଧା ଏବଂ ସୌନ୍ଦର୍ୟ୍ୟକରଣ କାର୍ୟ୍ୟ ହାତକୁ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯିବା ସହ ଏହି ସମସ୍ତ କାର୍ୟ୍ୟ ପୂର୍ତ୍ତ ବିଭାଗ ଅଧିନରେ ଓଡିଶା ସେତୁ ଓ ନିର୍ମାଣ ନିଗମ ଜରିଆରେ କାର୍ଯ୍ୟକାରୀ କରାଯିବ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ,ଉନ୍ନୟନ କମିଶନ , ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ,ଅର୍ଥ ବିଭାଗର ପ୍ରମୁଖ ସଚିବ ,ପୂର୍ତ୍ତ ସଚିବ ଓ ପୁରୀର ଜିଲ୍ଲାପାଳ ଉପସ୍ଥିତ ଥିଲେ ।