ଗଞ୍ଜାମ: ମା’ ତାରାତାରିଣୀ ପୀଠରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ । ତାରାତାରିଣୀ ନୂଆ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ମା’ ତାରାତାରିଣୀଙ୍କ ପୀଠରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସୂଚନା ଅନୁଯାୟୀ, ଆଜି ମୁଖ୍ୟମନ୍ତ୍ରୀ ମନ୍ଦିରରେ ପହଞ୍ଚିବା ପରେ ହାତ ଯୋଡି ମା’ଙ୍କୁ ପ୍ରଣାମ ଜଣାଇବା ସହ ମାଙ୍କ ଆଶୀର୍ବାଦ ନେଇଥିଲେ । ପ୍ରତିଷ୍ଠା ନିମନ୍ତେ ସମ୍ପୂର୍ଣ୍ଣ ଭାବେ ନୂଆ ରୂପରେ ସଜେଇ ହୋଇଛି ମା’ ତାରାତାରିଣୀ ପୀଠ । ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ଦୀପ ଘର, ନୂଆ ସ୍ନାନ ମଣ୍ଡପ, ପ୍ରଶାସନିକ ଭବନ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା’ ତାରାତାରିଣୀଙ୍କୁ ଦର୍ଶନ କରିବା ପରେ ଆୟୋଜିତ ସଭାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ଉପଢ଼ୌକନ ଦେଇ ସ୍ୱାଗତ କରିଥିଲେ ସେବାୟତ । ଏହା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ପୀଠର ପ୍ରଧାନ ସେବାୟତ ।
ଅନ୍ୟପକ୍ଷେ, ଏହି ଉତ୍ସବରେ ବିଧାୟକମାନଙ୍କ ସହ ନବନିର୍ବାଚିତ ଜନପ୍ରତିନିଧି ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ସାମିଲ୍ ହେବେ । ରାଜ୍ୟ ସରକାରଙ୍କ ପକ୍ଷରୁ ୧୧୭ କୋଟିରୁ ଅଧିକ ଟଙ୍କା ବ୍ୟୟରେ ମନ୍ଦିରର ଉନ୍ନତିକରଣ କରାଯାଇଛି । ମେ’ ୧୫ରୁ ଆରମ୍ଭ ହୋଇଛି ମା’ ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଚାଲିବ। ଉତ୍ସବରେ ବିଭିନ୍ନ ସ୍ଥାନରୁ ବ୍ରାହ୍ମଣ ଓ ସାଧୁସନ୍ଥଙ୍କ ସମାଗମ ହୋଇଛି । ୨୦୦୧ରେ ଭବ୍ୟ ମନ୍ଦିରର ପରିକଳ୍ପନା କରିଥିଲେ ମୁଖ୍ୟମନ୍ତ୍ରୀ ।ପ୍ରଥମେ ମନ୍ଦିରର ବିକାଶ ପାଇଁ ୩୫ ଲକ୍ଷ ଟଙ୍କା ମଞ୍ଜୁର କରା ଯାଇଥିଲା ।