କୋଭିଡ ଟିକାକରଣର ସମୀକ୍ଷା କଲେ ମୂଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟକର୍ମୀଙ୍କ ମତାମତ ନେଲେ

0

(ଭୁବନେଶ୍ୱର): ସାରା ଦେଶ ସମେତ ଆଜି ରାଜ୍ୟରେ କୋଭିଡ ଟିକାକରଣ ଆରମ୍ଭ ହୋଇଛି । ରାଜ୍ୟର ୧୬୧ଟି କେନ୍ଦ୍ରରେ ଆଜି ଟିକା ନେଇଛନ୍ତି ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାମାନେ । ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀ, ଡାକ୍ତରଙ୍କ ସହ କଥା ହୋଇଛନ୍ତି । ଟିକା ନେବା ପରେ ସେମାନେ କିପରି ଅନୁଭବ କରୁଛନ୍ତି ତାହା ପଚାରି ବୁଝିଛନ୍ତି । ଖୁବ କମ ସମୟ ମଧ୍ୟରେ ଟିକା ପ୍ରସ୍ତୁତ କରିଥିବାରୁ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ଟିକାକରଣ ବେଳେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଆଜି ବ୍ରହ୍ମପୁର ସିଟି ହସ୍ପିଟାଲର ଡାକ୍ତରଙ୍କ ସହ ବାର୍ତ୍ତାଳାପ କରିଥିଲେ । ସେହିପରି ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ଏବଂ କ୍ୟାପିଟାଲ ହସ୍ପିଟାଲର ନର୍ସଙ୍କ ସହ ମଧ୍ୟ କଥା ହୋଇଥିଲେ । ସେମାନେ ସମସ୍ତେ ସୁସ୍ଥ ଥିବା ଏବଂ ଟିକାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ନଥିବା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ତେବେ କରୋନା ମହାମାରୀ ପରି ଏକ କଠିନ ପରିସ୍ଥିତିରେ କୋଭିଡ ଯୋଦ୍ଧାମାନେ ଯେପରି ସାହସର ସହ କାର୍ଯ୍ୟ କଲେ ସେଥିପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସମସ୍ତଙ୍କ ସହଯୋଗରେ ଟିକାକରଣ କାର୍ଯ୍ୟକ୍ରମ ସଫଳ ହେବ ବୋଲି କହିଥିଲେ ।
ଏହି ଟିକାକରଣ ଅବସରରେ ସ୍ୱାସ୍ଥ୍ୟକର୍ମୀଙ୍କ ତ୍ୟାଗ ଓ ସେବାକୁ ପ୍ରଶଂସା କରିଛନ୍ତି ମୂଖ୍ୟମନ୍ତ୍ରୀ । ଆୟୋଜିତ କାର୍ଯ୍ୟକ୍ରମର ସଞ୍ଚାଳନ ୫-ଟି ସଚିବ ଭି.କେ ପାଣ୍ଡିାନ କରିଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଝାରସୁଗୁଡାରୁ ସ୍ୱାଗତ ଭାଷଣ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଯୋଗ ଦେଇଥିଲେ ।