(ଅନୁସ୍ୱୟା)ଭୁବନେଶ୍ୱର: ଆଜି ଓଡ଼ିଶା ଗସ୍ତରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ ଆଦିତ୍ୟନାଥ ଓଡିଶାରେ ସରକାରରେ ଥିବା ନବୀନ ପଟ୍ଟନାୟକଙ୍କୁ ଘେରିବାକୁ ଆଜି ଓଡିଶା ଆସୁଛନ୍ତି । ଏ ସରକାର ବଦଳିବା ଦରକାର ନାରା ଦେଇ ବିଜେପି ୧୪୭ ବିଧାନସଭା ଆସନରେ ସମାବେଶ କରିବାକୁ ଯାଉଛି ।
ଓଡିଶାରେ ଦୁଇଟି ଜନସଭାରେ ଉଦବୋଧନ ଦେବେ ୟୁପି ମୁଖ୍ୟମନ୍ତ୍ରୀ ତଥା ବିଜେପିର ଷ୍ଟାର ପ୍ରଚାରକ ଯୋଗୀ ଆଦିତ୍ୟନାଥ ।
କଳାହାଣ୍ଡି ସଦର ମହୁକମା ଭବାନୀପାଟଣା ଏବଂ ଖୋର୍ଦ୍ଧା ନାଚୁଣି ଠାରେ ଦୁଇଟି ମେଗାରାଲିରେ ସାମିଲ ହେବେ । ଆସନ୍ତା ନିର୍ବାଚନରେ ବିଜେପିର ସ୍ଥିତିକୁ ଆହୁରି ଦୃଢ କରିବା ପାଇଁ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ । ରାୟପୁରରୁ ହେଲିକପ୍ଟର ଯୋଗେ କଳାହାଣ୍ଡିରେ ପହଂଚିବେ ଯୋଗୀ ଆଦିତ୍ୟନାଥ ।
କଳାହାଣ୍ଡିର ଆରାଧ୍ୟ ଦେବୀ ମାଆ ମାଣିକେଶ୍ୱରୀ ମନ୍ଦିରରେ ସେ ପୂଜାର୍ଚ୍ଚନା କରିବାର କାର୍ୟ୍ୟକ୍ରମ ରହିଛି । ଏହାପରେ ଭାବନୀପାଟଣା ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ବିଜେପି ପକ୍ଷରୁ ଆୟୋଜିତ ଜନସଭାରେ ଯୋଗ ଦେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ଯୋଗୀ ଆଦିତ୍ୟନାଥ । ଭବାନୀପାଟଣା କାର୍ୟ୍ୟକ୍ରମ ସାରି ଖୋର୍ଦ୍ଧା ନାଚୁଣିରେ ଆୟୋଜିତ ବିଶାଳ ରାଲିରେ ସାମିଲ ହୋଇ କର୍ମୀଙ୍କୁ ଉତ୍ସାହ ବଢାଇବେ ଯୁପି ମୁଖ୍ୟମନ୍ତ୍ରୀ ।
ଯୋଗୀ ଏହି ଜନ ସମାବେଶରେ ରାଜ୍ୟରେ କ୍ଷମତାରେ ଥିବା ବିଜେଡିକୁ ଟାର୍ଗେଟ କରିବା ସହ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିପାରନ୍ତି । କଳାହାଣ୍ଡି ସହ ବଲାଙ୍ଗିର, କନ୍ଧମାଳ, କୋରାପୁଟ ଏବଂ ନବରଙ୍ଗପୁରରୁ ବିଜେପି କର୍ମୀମାନେ ଯୋଗୀଙ୍କ ସଭାରେ ସାମିଲ ହେବେ ବୋଲି ସୂଚନା ମିଳିଛି ।