ବୋଲ ମାନୁନାହାନ୍ତି ବରିଷ୍ଠ ସରକାରୀ ଅଧିକାରୀ । ଜିଲ୍ଲାସ୍ତରରେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ସାଧାରଣ ଲୋକେ । ଫଳରେ ଲୋକେ ଭରଷା ହରାଇ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଦୌଡୁଛନ୍ତି ଓ ସମାନ ଅଭିଯୋଗ ଶୁଣାଉଛନ୍ତି । ସେଥିପାଇଁ ବିରକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ତେଣୁ ଗତ ୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏକ ଚିଠି ଲେଖି ଅଧିକାରୀ ମାନଙ୍କୁ ତାଗିଦ କରିଛନ୍ତି । ଏହି ଚିଠିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ, ପୋଲିସ ମହାନିଦେ୍ର୍ଦଶକ, ପୋଲିସ କମିଶନର, ସମସ୍ତ ପୋଲିସ ସୁପରିଟେଣ୍ଡେଣ୍ଟଓ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ତାଗିଦ କରାଯାଇଛି । ଚିଠିରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ଅଭିଯୋଗ ଗୁଡିକ ଦିର୍ଘ ଦିନ ଧରି ବିଭିନ୍ନ ଅଧିକାରୀଙ୍କ ଅବହେଳା ପାଇଁ ପଡିରହିଛି । ତେଣୁ ଯଥା ଶୀଘ୍ର ଏସବୁର ସମାଧାନ କରିବାକୁ ଅନୁରୋଧ କରିବା ସହିତ ଯେଉଁ ଅଫିସର ମାନେ ଏଥିରେ ଖିଲାପ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଓଡିଶା ବେସାମରିକ ସେବା ନିୟମ ୧୯୬୨ ଅନୁଯାୟୀ ଆବଶ୍ୟକୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କହି ଚେତାବନୀ ଦିଆଯାଇଛି । ତେବେ ଦେଖିବାକୁ ବାକି ରହିଲା ସିଏମଓ ର ତାଗିଦ ପରେ ଅଧିକାରୀ ମାନେ ଏହାକୁ କେତେ ମାନୁଛନ୍ତି ଓ ଲୋକଙ୍କ ପାଇଁ କାମ କରୁଛନ୍ତି ?