ନୂଆଦଲ୍ଲୀ: ଶୀତରେ ଥରୁଛି ଦେଶ | ଦିଲ୍ଲୀ ସମେତ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ସକାଳୁ ସକାଳୁ ପ୍ରବଳ ଶୀତ ପ୍ରକୋପ | ଯାହାଫଳରେ ପ୍ରଭାବିତ ହେଲା ଟ୍ରେନ୍ ଓ ବିମାନ ଚଳାଚଳ | ତେବେ ଆଜି ସକାଳୁ ଦିଲ୍ଲୀରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହୋଇଛି। ଯେଉଁଠାରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି। ଏହା ହାରାହାରି ତାପମାତ୍ରା ଠାରୁ ଚାରି ଡିଗ୍ରୀ କମ୍ ଅଟେ। କ୍ରମାଗତ ସପ୍ତମ ଦିନ ଜାତୀୟ ରାଜଧାନୀରେ ‘ଶୀତ ଦିବସ’ର ସ୍ଥିତି ଜାରି ରହିଛି। ଦିଲ୍ଲୀରେ ସକାଳ ୫.୩୦ ସମୟରେ ମଧ୍ୟମ କୁହୁଡି ହୋଇଥିବା ବେଳେ ଏହାର କିଛି ଅଂଶରେ ଘନ କୁହୁଡ଼ି ଦେଖାଯାଇଥିଲା। ଏହି କାରଣରୁ, ଦିଲ୍ଳୀ ଟ୍ରାଫିକ ଉପରେ ବି ଏହାର ପ୍ରଭାବ ପଡ଼ିଛି।
ଜାତୀୟ ରାଜଧାନୀର ମୁଖ୍ୟ ପାଣିପାଗ କେନ୍ଦ୍ର ସଫଦରଜଙ୍ଗ ଏବଂ ପାଲମରେ ଦୃଶ୍ୟତା ସକାଳ ୫.୩୦ରେ ୨୦୦ମିଟର ରେକର୍ଡ କରାଯାଇଥିଲା। କୁହୁଡ଼ି ହେତୁ ଦିଲ୍ଲୀକୁ ଆସୁଥିବା ପ୍ରାୟ ୧୮ଟି ଟ୍ରେନ୍ ସର୍ବାଧିକ ଛଅ ଘଣ୍ଟା ବିଳମ୍ବରେ ଚାଲୁଛି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରରୁ ଅନେକ ବିମାନ ବିଳମ୍ବ ହେଉଛି। ଦିଲ୍ଲୀ ବ୍ୟତୀତ ଉତ୍ତର ଭାରତର ଅନେକ ରାଜ୍ୟରେ ଶୀତର ପ୍ରଭାବ ଦେଖିବାକୁ ମିଳିଥିଲା। ବିହାରର ପାଟନାରେ ଶୀତଳ ତରଙ୍ଗ ଜାରି ରହିଛି। ପଞ୍ଜାବ, ହରିଆଣା ଏବଂ ରାଜସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହୋଇଛି।
ପାଣିପାଗ ବିଜ୍ଞାନୀ ତାଙ୍କ ରିପୋର୍ଟରେ କହିଛନ୍ତି ଯେ ଶୀତର ପ୍ରଭାବ ଆହୁରି ଅନେକ ଦିନ ପର୍ଯ୍ୟନ୍ତ ଜାରି ରହିବ। ପଞ୍ଜାବ ଏବଂ ହରିଆଣା ପାଇଁ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି। ଦିଲ୍ଲୀ ଏବଂ ୟୁପିରେ ଥଣ୍ଡା ତରଙ୍ଗ ଏବଂ କୁହୁଡି ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।