ସାରା ରାଜ୍ୟରେ ଶୀତ ଲହରୀ ଜାରି: ୧୫ ଡିଗ୍ରୀ ତଳେ ରାଜ୍ୟର ଅନେକ ସହର

0

ଭୁବନେଶ୍ୱର: ସାରା ରାଜ୍ୟରେ ଶୀତ ଲହରୀ ଜାରି । ଉପକୂଳରୁ ଉପାନ୍ତ ଯାଏଁ ସବୁଠି ପ୍ରବଳ ଜାଡ଼ । କିଛି ସ୍ଥାନରେ ୧୦ ତଳକୁ ଖସିଛି ତାପମାତ୍ରା । ୧୫ ଡିଗ୍ରୀ ତଳେ ରାଜ୍ୟର ଅନେକ ସହର । ରାଜ୍ୟରେ ଗତ ୨ ଦିନ ଧରି ଶୀତ ଅନୁଭୂତ ହେଉଛି ଏବଂ ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ।  ଏମିତି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସୂଚନା ଅନୁଯାୟୀ,  ଗତକାଲି ରାଉରକେଲାର ରାତି ତାପମାତ୍ରା ୮ ଡିଗ୍ରୀ ଥିଲା । ୧୫ ତାରିଖରେ ରାଉରକେଲାରେ ୭ ଡିଗ୍ରୀକୁ ଖସିବ ପାରଦ। ୧୬ ତାରିଖରେ ବି ଜାଡ଼ରେ ଥରିବ ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳ। ଝାରସୁଗୁଡ଼ା, ବୌଦ୍ଧ, ଫୁଲବାଣୀ ଓ କେନ୍ଦୁଝରରେ ୯ ଡିଗ୍ରୀ, ସୁନ୍ଦରଗଡ଼, ଭବାନୀପାଟଣା, କୋରାପୁଟ, ଢେଙ୍କାନାଳ ଓ ବାରିପଦାରେ ୧୦ ଡିଗ୍ରୀ, ବଲାଙ୍ଗୀରରେ ରାତି ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ୍‌ ରହିବା ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଝାରସୁଗୁଡ଼ାରେ ତାପମାତ୍ରା ୯.୮ ଡିଗ୍ରୀ, ଫୁଲବାଣୀରେ ୧୦ ଡିଗ୍ରୀ, ବୌଦ୍ଧରେ ୧୦.୪, ଅନୁଗୁଳ ଓ କେନ୍ଦୁଝରରେ ୧୦.୬, ଦାରିଙ୍ଗିବାଡ଼ିରେ ୧୧ ଡିଗ୍ରୀ ଓ ଭବାନୀପାଟଣା ଓ ସୁନ୍ଦରଗଡ଼ରେ ୧୧.୨ ଡିଗ୍ରୀ ରହିବା ଯୋଗୁ ପ୍ରବଳ ଶୀତ ଅନୁଭୂତ ହୋଇଛି । ୨୬ଟି ସହର ୧୫ ଡିଗ୍ରୀ ତଳକୁ ଖସି ଆସିଛି । ୧୬ ତାରିଖ ଯାଏ ରାଜ୍ୟରେ ଏଭଳି ଶୀତ ଲାଗି ରହିବ । ଉତ୍ତର ଓଡ଼ିଶାରେ ଶୀତ ଆହୁରି ବଢ଼ିପାରେ। କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଅଧ ଡିଗ୍ରୀରୁ ଏକ ଡିଗ୍ରୀ ଯାଏ କମିବ। ୧୫ ତାରିଖରୁ ଉତ୍ତର-ପଶ୍ଚିମ ଭାରତରୁ ଓଡ଼ିଶାକୁ ପଶ୍ଚିମା ବାୟୁ ପ୍ରବାହ ହେବ।