ନୂଆଦିଲ୍ଲୀ: ମହାରାଷ୍ଟ୍ର ମେଣ୍ଟ ଗୋଆରେ ହେବ ନାହିଁ । ମହାରାଷ୍ଟ୍ରରେ ହୋଇଥିବା ଏନସିପି, ଶିବସେନା, କଂଗ୍ରେସର ମହା ବିକାଶ ଅଘାଡି ମେଣ୍ଟର ଗୋଆରେ କାମ ଦେବ ନାହିଁ । କଂଗ୍ରେସ ଗୋଆରେ ଏକାକୀ ନିର୍ବାଚନ ଲଢିବ ବୋଲି ଘୋଷଣା କରିଛି । କଂଗ୍ରେସ ଏକାକୀ ଗୋଆରେ ନିର୍ବାଚନ ଜିତିବାକୁ ସକ୍ଷମ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଥିବା ବେଳେ ଏନସିପି ଓ ଶିବସେନା ଗୋଆରେ ହାତ ମିଳାଇଛନ୍ତି ।
ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାୱତ କଂଗ୍ରେସ ମେଣ୍ଟରୁ ବାଦ ପଡିଥିବା ସୂଚନା ଦେଇଛନ୍ତି । ରାୱତ କହିଛନ୍ତି, କଂଗ୍ରେସ ନିଜ ଦମରେ ଜିତି ପାରିବାର ବିଶ୍ୱାସ ରଖିଛି । ତେଣୁ ମହା ବିକାଶ ଅଘାଡି ମେଣ୍ଟରୁ ନିଜକୁ ବାଦ ଦେଇଥିବା କହିଛନ୍ତି ରାୱତ । ଅନ୍ୟପଟେ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପାଟୋଲ କହିଛନ୍ତି, ମେଣ୍ଟ ନିଷ୍ପତ୍ତି ହାଇକମାଣ୍ଡ ନେଇଥାନ୍ତି । ମହାରାଷ୍ଟ୍ରରେ ଦଳର ସ୍ଥିତି ଦୁର୍ବଳ ଥିଲା ଓ ବିଜେପିକୁ ହରାଇବାକୁ ଥିଲା, ତେଣୁ ମେଣ୍ଟ ଗଠନ ହୋଇଥିଲା । ହେଲେ ଅନ୍ୟ ରାଜ୍ୟରେ ଦଳର ସ୍ଥିତି ଭଲ ରହିଛି ତେଣୁ ଆମକୁ ମେଣ୍ଟର ଆବଶ୍ୟକତା ନାହିଁ ।