(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଧାରା ୩୭୦ ଉଚ୍ଛେଦକୁ ନେଇ କଂଗ୍ରେସରେ ଫାଟ ସୃଷ୍ଟି ହୋଇଛି । ୨୪ ଘଣ୍ଟାର ନିରବତା ପରେ ରାହୁଲ ଗାନ୍ଧୀ ଟୁଇଟ କରି କହିଛନ୍ତିେ, ବିଜେପି ସରକାର ସମ୍ବିଧାନର ଉଲ୍ଲଙ୍ଘନ କରି ଏକପାଖିଆ ନିଷ୍ପତ୍ତି ବଳରେ ଜାମ୍ମୁ-କାଶ୍ମୀରକୁ ଦୁଇ ଭାଗ କରିଛି । ଦିଗବିଜୟ ସିଂହ ମଧ୍ୟ ବିଜେପିକୁ ସମାଲୋଚନା କରିଛନ୍ତି । ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ଅଧୀର ରଂଜନ ଚୌଧୁରୀ କହିଛନ୍ତି, ଏହା ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। କାଶ୍ମୀର କିଭଳି ଏକ ଅଭ୍ୟନ୍ତରୀଣ ପ୍ରସଙ୍ଗ ତାହାର ଜବାବ ଦିଅନ୍ତୁ। ତେବେ ଚୌଧୁରୀଙ୍କ ଏହି ବକ୍ତବ୍ୟ କଂଗ୍ରେସକୁ ଅପ୍ରସ୍ତୁତ କରିଥିଲା। କଂଗ୍ରେସର ଅନେକ ବରିଷ୍ଠ ନେତା ୩୭୦ ଧାରା ନେଇ ଦଳର ମତକୁ ସମର୍ଥନ କରିପାରିନାହାନ୍ତି।
କିନ୍ତୁ ଅନେକ ଏହାକୁ ସମର୍ଥନ କରିଛନ୍ତି । ଗତକାଲି ରାଜ୍ୟସଭାରେ ଦଳର ମୁଖ୍ୟ ସଚେତକ ଦଳ ହ୍ଵିପ୍କୁ ବିରୋଧ କରି ଇସ୍ତଫା ଦେଇଥିଲେ। ସେ କହିଥିଲେ, ବର୍ତ୍ତମାନ ଦେଶର ଜନତା ୩୭୦ ଧାରାର ଉଚ୍ଛେଦ ସପକ୍ଷରେ ଅଛନ୍ତି। ଦଳ ଏହାର ବିରୋଧ କରି ଆତ୍ମହତ୍ୟା କରୁଛି। ଗାନ୍ଧୀ ପରିବାରର ବିଶ୍ୱସ୍ତ ଭାବେ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ଜନାର୍ଦ୍ଦନ ଦ୍ୱିବେଦୀ ମଧ୍ୟ ୩୭୦ ଧାରାର ଉଚ୍ଛେଦକୁ ସମର୍ଥନ କରୁଛନ୍ତି। ସେ କହିଛନ୍ତି, ମୋର ଗୁରୁ ରାମ ମନୋହର ଲୋହିଆ ଏହାକୁ ବିରୋଧ କରୁଥିଲେ। ସ୍ୱାଧୀନତା କାଳରେ ହୋଇଥିବା ତ୍ରୁଟି ସୁଧାରିବା ଆବଶ୍ୟକ । ସେହିପରି ହରିୟାଣାର କଂଗ୍ରେସ ନେତା ଦୀପେନ୍ଦର ହୁଡା ଟୁଇଟ୍ କରି କହିଛନ୍ତି, ମୋର ବ୍ୟକ୍ତିଗତ ମତ ହେଲା ଏକବିଂଶ ଶତାବ୍ଦୀରେ ଧାରା ୩୭୦ର ଆବଶ୍ୟକତା ଥିବା ମୋର ମନେହୁଏନା। ସେହିପରି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡାଙ୍କ ପୁଅ ଦୀପେନ୍ଦର, ଜୟବୀର ସେର୍ଗିଲ୍, ରାୟବରେଲୀର କଂଗ୍ରେସ ବିଧାୟିକା ଅଦିତୀ ସିଂ ୩୭୦ ଉଚ୍ଛେଦକୁ ସ୍ୱାଗତ କରିଛିନ୍ତି ।