ବେଗୁନିଆରେ ବଳ ଦେଖାଇଲା କଂଗ୍ରେସ; ଶତାଧିକ ସମର୍ଥକଙ୍କୁ ନେଇ ଘେରିଲା ବ୍ଲକ ଅଫିସ୍

0

ବେଗୁନିଆ/ଶେଖ୍ ଅନୁଅର୍ ଅଲ୍ଲୀ: ସରକାରଙ୍କ ବିରୋଧରେ ସାରା ରାଜ୍ୟର ବ୍ଲକ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଏହି କ୍ରମରେ ଖୋର୍ଦ୍ଧାର ପ୍ରତ୍ୟେକ ବ୍ଲକ ଘେରାଉ କରି ନିଜ ପତିଆରା ଦେଖାଇଛି କଂଗ୍ରେସ । କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜନ କରି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅଫିସ୍ ଘେରାଉ କରିଛି । ପିସିସି ସଭାପତିଙ୍କ ନିର୍ଦ୍ଦେଶରେ ଆଜି ୨ ଦଫା ଦାବିରେ ସମସ୍ତ ବ୍ଲକ ଘେରାଉ କରିଛି ।

୨୪ ବର୍ଷ ହେଲା ବିଜେଡି ଓଡିଶା ଲୋକଙ୍କ ପାଇଁ କିଛି ଆଖି ଦୃଶିଆ କାମ କରି ନଥିବା କଂଗ୍ରେସ ଅଭିଯୋଗ କରିଛନ୍ତି । ଯୋଜନା ପରେ ଯୋଜନା ଘୋଷଣା ହେଉଛି । ହେଲେ ସବୁ ଯୋଜନା ବଟମାରଣା ହେଉଥିବା ଅଭିଯୋଗ ଆଣିଛି କଂଗ୍ରେସ । ବ୍ଲକ୍ ଅଫିସମାନଙ୍କରେ ବ୍ୟାପକ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ, ନାରୀ ନିର୍ୟାତନା, ଚାଷୀ ମାରଣା ନୀତି, ଟାଟା କମ୍ପାନୀର ମନଇଚ୍ଛା ଶୋଷଣ ବିରୋଧରେ ଏହି ବିକ୍ଷୋଭ କରାଯିବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି ।

କଂଗ୍ରେସ ନେତା ପୃଥ୍ବୀବଲ୍ଲଭ ପଟ୍ଟନାୟକ କହିଛନ୍ତି, ”ରାଜ୍ୟବାସୀଙ୍କ ପାଇଁ ନା କେନ୍ଦ୍ର ସରକାର ନା ରାଜ୍ୟ ସରକାର କେହି ଆଖୁଦୃଶିଆ କାର୍ୟ୍ୟ କରିନାହାଁନ୍ତି । ରାଜ୍ୟରେ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି । ଚାଷୀ ମାରଣାନୀତି ଯୋଗୁଁ ଚାଷ ଛାଡିବାକୁ ବାଧ୍ୟ ହେଲେଣି କୃଷକ । ଧାନ କିଣାରେ କଟନି ଛଟନି ବନ୍ଦ ହେବା ଆବଶ୍ୟକ ।ଚାଷୀଙ୍କୁ ଠିକରେ ସାର୍, ବିହନ ସରକାର ସୁଲଭ ଦରରେ ପ୍ରଦାନ କରୁ । ଚାଷୀଙ୍କୁ ଉପଯୁକ୍ତ ଦର ମିଳୁ ।

ପ୍ରଧାନମନ୍ତ୍ରୀ ଆବାସରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆ ଯାଉ । ଏହାସହ ସାଧାରଣ ଲୋକଙ୍କ ଉପରେ ପଡୁଥିବା ଦରଦାମ ବୃଦ୍ଧି ଚାପକୁ ନିୟନ୍ତ୍ରଣ କରାଯାଉ । ଦରଦାମ ବୃଦ୍ଧି ଉପରେ ଲଗାମ ଲଗାଯାଉ । ରାଜ୍ୟରେ ମହିଳାଙ୍କ ବିରୋଧରେ ନିର୍ୟାତନା ବଢିବାରେ ଲାଗିଛି । ”ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସୁପୁତ୍ର ପୃଥ୍ବୀବଲଭ ପଟ୍ଟନାୟକଙ୍କ ନେତୃତ୍ବରେ ଶତାଧିକ କର୍ମୀ ଏକ ବିଶାଳ ମଟର ସାଇକେଲ ରାଲିରେ ପୋଷ୍ଟ ଅଫିସ ଛକରୁ ବାହାରି ବେଗୁନିଆ ବ୍ଲକ ସମ୍ମୁଖରେ ପହଞ୍ଚିଥିଲେ । ବ୍ଲକ ସମ୍ମୁଖରେ ରାଜ୍ୟ ସରକାରଙ୍କ ଉପରେ ବର୍ଷି ପୃଥ୍ବୀବଲ୍ଲଭ କହିଛନ୍ତି, “ରାଜ୍ୟରେ ପ୍ରଶାସକଙ୍କ ସରକାର ଚାଲିଛି । ଯେଉଁ ମୁଖ୍ୟମନ୍ତ୍ରୀଙ୍କୁ ଲୋକ ଭୋଟ୍ ଦେଇଥିଲେ ତାଙ୍କୁ ଭେଟିବା କଷ୍ଟକର ହେଉଛି ।”