ବିଧାନସଭା ଘେରିବ କଂଗ୍ରେସ : କଡା ସୁରକ୍ଷା ଭିତରେ ବିଧାନସଭା

0

ଭୁବନେଶ୍ୱର: ଆଜି ବିଧାନସଭା ଘେରିବ କଂଗ୍ରେସ  | ଏଥିପାଇଁ ବିଧାନସଭାକୁ ଘେରି ରହିଛନ୍ତି ପୋଲିସ | ବିଧାନସଭା ସମ୍ମୁଖରେ ପୋଲିସ ଛାଉଣୀ | କଡା ସୁରକ୍ଷା ଭିତରେ ବିଧାନସଭା କୁ ଆସିଲେ ବାଚସ୍ପତି | ଗେଟ ସମ୍ମୁଖରେ ତନ ତନ କରି କରାଯାଉଛି ଯାଞ୍ଚ | ଆନ୍ଦୋଳନକାରୀଙ୍କୁ ରୋକିବାକୁ ପୋଲିସ୍ ୮୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରିଛି। ଏଥିରେ ୧୦ ପ୍ଲାଟୁନ୍ ମହିଳା ଫୋର୍ସ ରହିବେ। ଆଇନ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ।

ସୂଚନା ଅନୁସାରେ ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ଆଜି ରାସ୍ତାକୁ ଓହ୍ଲାଇବ କଂଗ୍ରେସ । ବିଧାନସଭା ଘେରାଉ କରିବ ଦଳ । ସକାଳ ଦିନ ୧୦ଟାରେ ଭୁବନେଶ୍ବର ରାମମନ୍ଦିର ଠାରୁ କଂଗ୍ରେସଭବନ ପର୍ଯ୍ୟନ୍ତ ରାଲି ବାହାରିବ । ଏଥିରେ ପିସିସି ସଭାପତି, ଦଳର ବରିଷ୍ଠ ନେତା, ବିଧାୟକ, ଛାମୁଆ ସଂଗଠନର କର୍ମକର୍ତ୍ତା ସାମିଲ ହୋଇ ବିକ୍ଷାେଭ ପ୍ରଦର୍ଶନ କରି ବିଧାନସଭା ପର୍ଯ୍ୟନ୍ତ ଯିବେ । ବିଧାନସଭା ଘେରାଉ କରାଯିବ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପ୍ରସଙ୍ଗରେ ଗୃହ କମିଟି ଗଠନ ପାଇଁ ଦାବି କରିଆସୁଛି କଂଗ୍ରେସ । ଏନେଇ ବିଧାନସଭାରେ ଦଳର ବିଧାୟକମାନେ ପ୍ରତିବାଦ କରିଛନ୍ତି । ବିଶୃଙ୍ଖଳିତ ଆଚରଣ ପାଇଁ ଦଳର ସମସ୍ତ ୧୪ ବିଧାୟକ ସାତ ଦିନ ପାଇଁ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି । ତେଣୁ ଆଜି କଂଗ୍ରେସ ଜୋରଦାର ବିକ୍ଷୋଭ କରିବା ବୋଲି କୁହାଯାଉଛି ।