ତିନିରଥ ପାଇଁ ୧୫ ଚକ ନିର୍ମାଣ ଶେଷ ହୋଇଛି

0

(ପୁରୀ/ଜୟନ୍ତକୁମାର ସେଠୀ) : ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ତିନିରଥ ପାଇଁ ୧୫ ଚକ ନିର୍ମାଣ ଶେଷ ହୋଇଛି । ତାଳଧ୍ଵଜ ରଥର ୫, ନନ୍ଦିଘୋଷ ରଥର ୬ ଏବଂ ଦେବଦଳନ ରଥର ୪ଟି ଚକ ନିର୍ମାଣ ସରିଛି । ଆଉକିଛି ତୁମ୍ବରେ ଅର ଏବଂ ପହି ସଂଯୋଗ କରାଯାଉଛି । ୪୫ଫୁଟିଆ ତିନୋଟି ଧଉରା କାଠରେ ଶ୍ରୀଫଳ ବାଡେଇ ମହାରଣା ସେବକ ଅଖ ନିର୍ମାଣ ଆରମ୍ଭ କରିଛନ୍ତି ।ମାଳ ଲାଗିକରି କାଠ ଗୁଡିକୁ ପୂଜା କରାଯାଇଥିଲା । ମୁଖ୍ୟ ମହାରଣା ମାପ ଦେବାପରେ ଅନ୍ୟ ମହାରଣା ମାନେ ବାରିଶି ମାଧ୍ୟମରେ ତାହାକୁ ଚଉପଟ କରୁଛନ୍ତି। ଏହାପରେ ଅଖ ଦୁଇପାର୍ଶ୍ଵରେ ଚକ ସଂଯୋଗ ପାଇଁ ଗୋଲେଇ କରାଯିବ।

ଅସ୍ଥାୟୀ କମାରଶାଳରେ ଓଝା ସେବକ ମାନେ ପ୍ରସ୍ତୁତ କରୁଥିବା ଲୁହାବଳା ଏବଂ ପନ୍ଦାରି ଚକ ଗୁଡିକରେ ଲାଗି କରାଯାଉଛି। ସେହିପରି ତିଖଗୁଜ, ଜଳଯନ୍ତ୍ର ଏବଂ କୁଡୁକା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରୂପକାର ସେବକମାନେ କୋଣ ଗୁଜରେ ନୃସିଂହମୂର୍ତ୍ତି ଖୋଦେଇ କରୁଛନ୍ତି। ରଥ ନିର୍ମାଣ ପାଇଁ ଅରକଣ୍ଟା ପ୍ରସ୍ତୁତ କରାଯାଉଛି।