(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆଜି ଖାଉଟି ସୁରକ୍ଷା ବିଲ୍ ୨୦୧୯ ସର୍ବସମ୍ମତିକ୍ରମେ ଲୋକସଭାରେ ଗୃହୀତ ହୋଇଛି । ଫଳରେ ଏହି ବିଲ୍ ଖାଉଟି ସୁରକ୍ଷା ଆଇନ ୧୯୮୬ ବଦଳରେ ଲାଗୁ ହେବ । ଲୋକସଭାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମ ବିଳାଶ ପାଶ୍ୱାନ ଆଗତ କରିଥିଲେ ।
ଏହି ବିଲରେ ଖାଉଟିଙ୍କ ଅଧିକାରର ସୁରକ୍ଷା ପାଇଁ ଅନେକ ବ୍ୟବସ୍ଥା ରହିଛି । ଖାଉଟିଙ୍କ ବିଭିନ୍ନ ପ୍ରକାରର ଅଭିଯୋଗର ତ୍ୱରିତ ଶୁଣାଣି ପାଇଁ ଏଥିରେ ଏକ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ ପ୍ରତିଷ୍ଠା କରାଯିବାର ବ୍ୟବସ୍ଥା ରହିଛି । ଏଥିରେ ମଧ୍ୟ କେନ୍ଦ୍ର, ରାଜ୍ୟ ଓ ଜିଲ୍ଲା ସ୍ତରରେ ଖାଉଟି ବିବାଦ ସମାଧାନ ଆୟୋଗ ସ୍ଥାପନ ପାଇଁ ବ୍ୟବସ୍ଥା ରହିଛି । ଆହୁରି ମଧ୍ୟ ବିଭିନ୍ନ ତ୍ରୁଟିଯୁକ୍ତ ସେବା ଓ ଦ୍ରବ୍ୟ ବିକ୍ରୟ, ବିଭ୍ରାନ୍ତିକାରୀ ବିଜ୍ଞାପନ ଆଦି ବିରୋଧରେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି ।
ଏହି ବିଲଟି ଗତ ବର୍ଷ ମଧ୍ୟ ଲୋକସଭାରେ ଆଗତ ହୋଇ ଗୃହୀତ ହୋଇଥଲା, କିନ୍ତୁ ରାଜ୍ୟସଭାରେ ଏହା ଅଟକି ରହିଯାଇଥିଲା । ନିର୍ବାଚନ ପରେ ନୂଆ ସରକାର ଗଠନ ହେବା ପରେ ସରକାର ଏହାକୁ ଗତ ଜୁଲାଇ ୮ରେ ପୁଣି ଥରେ ଲୋକସଭାରେ ଆଗତ କରିଥିଲେ ।